ବାହାର ଚକାଚକ୍, ଭିତର ଭାଙ୍ଗିରୁଜି ଚୁରମାର । ଉନ୍ନତିକରଣ ଆଳରେ ଅର୍ଥ ହରିଲୁଟ୍! ବ୍ୟବସ୍ଥାର ମୁଖା ଖୋଲିଲା ଡାକ୍ତରଖାନା ଦୃଶ୍ୟ

276

କନକ ବ୍ୟୁରୋ: ରୂପାନ୍ତରିକରଣ ପାଇଁ ଉନ୍ନତିକରଣ ସହିତ ନବକଳେବର ହୋଇଛି। ଏଥିପାଇଁ ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ କାମ ଏମିତି ହୋଇଛି, ଯେ ବାହାରୁ ସୁନ୍ଦର ଦେଖାଯାଉଥିବା ଡାକ୍ତରଖାନାର ଭିତର ଚିତ୍ର ସାମ୍ନାକୁ ଆସିବା ପରେ ଉନ୍ନତିକରଣ ନାମରେ ହୋଇଥିବା ଦୁର୍ନୀତି ପଦାରେ ପଡିଛି।

  • ବାହାର ଚକାଚକ୍, ଭିତର ଭାଙ୍ଗିରୁଜି ଚୁରମାର
  • ଉନ୍ନତିକରଣ ଆଳରେ ଅର୍ଥ ହରିଲୁଟ୍!
  • ବ୍ୟବସ୍ଥାର ମୁଖା ଖୋଲିଲା ଡାକ୍ତରଖାନା ଦୃଶ୍ୟ

ଡାକ୍ତରଖାନା ରୂପାନ୍ତରିକରଣ ପାଇଁ କୋଟି କୋଟି ଟଙ୍କା କିଭଳି ହରିଲୁଟ୍ କରାଯାଇଛି, ତାର ଜ୍ୱଳନ୍ତ ଉଦାହରଣ ଆସିଛି ଉଦଳା ଡାକ୍ତରଖାନରୁ । କେବିନ୍ କାନ୍ଥ ଫାଟି ଆଁ କରିଛି, କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ! ଭଙ୍ଗା ଘରେ ରଙ୍ଗ ମାରି ଟଙ୍କା ଲୁଟ୍ ! ଅଭିଯୋଗ ହୋଇଛି। ସେହିପରି ନୂତନ ଭାବେ ନିର୍ମାଣ ହୋଇଥିବା ଘରକୁ ଅତି ନିମ୍ନମାନର କରାଯାଇଛି। ମାତ୍ର ଦିନ କେଇଟାରେ ଘରୁ ରଙ୍ଗ ଛାଡିବା ସହିତ ପୁଳାପୁଳା ହୋଇ ସିମେଣ୍ଟ ଖସିଲାଣି। ପୂର୍ତ୍ତ ବିଭାଗ ରୋଷେଇ ଘର କାମ ଅଧାରେ ଛାଡି ଯାଇଥିବାରୁ କେବିନରେ ରୋଷେଇ ଚାଲିଛି।

ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ଉଦଳା ଉପଖଣ୍ଡ ଡାକ୍ତରଖାନାର ରୂପରେଖ ବଦଳାଇ ଆମ ହସ୍ପିଟାଲ କରାଯାଇଛି। ହେଲେ ଜାଣି ଆଶ୍ଚର୍ୟ୍ୟ ହେବେ, ଏଯାଏଁ ଆମ ହସ୍ସିଟାଲର ସମସ୍ତ ଗୃହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହୋଇନାହିଁ । ପୂର୍ତ୍ତ ବିଭାଗ ପକ୍ଷରୁ ୬ କୋଟିର ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଆମ ହସପିଟାଲ କାମ ସମୟରେ ପୂର୍ତ୍ତ ବିଭାଗର ଜଣେ ପରେ ଜଣେ ଯନ୍ତ୍ରୀଙ୍କ ବଦଳି ଯୋଗୁଁ ଫାଇଲ୍ ଏ ଟେବୁଲରୁ ସେ ଟେବୁଲ ହେଉଛି, ଆଉ ଅଧିକାରୀ ଏ ବାବଦରେ ମୁହଁ ଖୋଲୁନାହାନ୍ତି । ୩ଜଣ ଯନ୍ତ୍ରୀଙ୍କ ଦାୟିତ୍ୱରେ କାମ ହୋଇଥିବାରୁ ପରସ୍ପରକୁ କେବଳ ଦୋଷ ଠେଲାଠେଲି ହେଉଛନ୍ତି । ସେପଟେ ପୂର୍ତ୍ତ ବିଭାଗ ଏହି ଘରଗୁଡିକୁ ହସ୍ତାନ୍ତର କରିନଥିବାରୁ କିଛି କରି ହେଉ ନାହିଁ ବୋଲି କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ସବୁପରେ ଏହି ଡାକ୍ତରଖାନାରେ ହୋଇଥିବା ଦୁର୍ନୀତିର ଖୋଳତାଡ ହେଲେ ଉନ୍ନତି ଆଳରେ କେତେ ଟଙ୍କା ଚଳୁ କରାଯାଇଛି ତାହା ସାମ୍ନାକୁ ଆସିପାରିବ ।