ନାଗେଶ୍ୱର ରାଓଙ୍କ ବିରୋଧରେ ମାନହାନୀ ମକୋଦ୍ଦମା କରିବେ ମାରିକ୍ । କହିଲେ, ପୂର୍ବ ରାଗ ସୁଝାଉଛନ୍ତି ନାଗେଶ୍ୱର

236

କନକ ବ୍ୟୁରୋ: ନାଗେଶ୍ଵର ରାଓଙ୍କ ବିରୋଧରେ ମାନହାନୀ ମକୋଦ୍ଦମା କରିବେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍ । ଶନିବାର ଆଇପିଏସ ଜମି କେଲେଙ୍କାରୀ ମାମଲାରେ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଉ ସେ କହିଛନ୍ତି, ନାଗେଶ୍ଵର ରାଓଙ୍କ ବିରୋଧରେ ସେ ମାନହାନି ମକୋଦ୍ଦମା କରିବେ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ନାଗେଶ୍ଵର ରାଓ ସିଆରପିଏଫ୍ ଆଇଜି ଥିବା ବେଳେ ସେ ଏଡ଼ିଜି ଅପରେସନ ଦାୟିତ୍ୱରେ ଥିଲେ । ସେହି ସମୟରେ ଭୁଲ ଭାବେ ସିଆରପିଏଫଙ୍କୁ ନିୟୋଜିତ କରିବା ଯୋଗୁଁ ଜଣେ କମାଡ଼ାଣ୍ଟଙ୍କ ମୃତ୍ୟୁ ହୋଇଥିଲା । ସେଥିପାଇଁ ନାଗେଶ୍ୱରଙ୍କ ବିରୋଧରେ ସେ ସମୟରେ ମାରିକ କାର୍ୟ୍ୟନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଥିଲେ । ଏବେ ସେହି ରାଗ ସେ ସୁଝାଉଥିବା ଅଭିଯୋଗ କରିଛନ୍ତି ମାରିକ ।

ସେପଟେ ମାରିକଙ୍କ କହିବା ଅନୁସାରେ ତାଙ୍କ ପୁଅ ସେଠି ସମସ୍ତ କାଗଜପତ୍ର ଦେଖି ୩ ଗୁଣ୍ଠ ଜମି କିଣିଛନ୍ତି । ସେ କୌଣସି ସରକାରୀ ଜମି କିଣି ନାହାନ୍ତି । ଅପରପକ୍ଷରେ ସେଠି ଜମି କିଣିବା ପାଇଁ ସେ କାହାକୁ ପ୍ରବର୍ତ୍ତାଇ ନଥିବା କହିଛନ୍ତି । ନାଗେଶ୍ଵର ରାଓ ସେଠି ୯ ଲକ୍ଷ ଟଙ୍କାରେ ଜମି କିଣି ୩ ବର୍ଷ ପରେ କୋଟିଏ ଟଙ୍କାରେ ଜମି ବିକ୍ରି କରି ଟଙ୍କା ନେବା ପାଇଁ ଚାହୁଁଥିଲେ । ଯେଉଁଥିପାଇଁ ଜମି ମାଲିକ ସହ ତାଙ୍କର ଏକ ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା । ଜମି ଠକେଇ ନେଇ ନାଗେଶ୍ଵର ଇଓଡବ୍ଲ୍ୟୁରେ ମାମଲା ରୁଜୁ କରିବା ନେଇ କୌଣସି ଖବର ସେ ଜାଣିନଥିଲେ କି କୌଣସି ହସ୍ତକ୍ଷେପ କରିନଥିଲେ ବୋଲି ସେ କହିଛନ୍ତି ।