ମନୋଜ ଆହୁଜା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । 

291

କନକ ବ୍ୟୁରୋ: ମନୋଜ ଆହୁଜା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ୧୯୯୦ ମସିହାର ଏହି ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ପରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି, ଆଉ ଏହା ପୂର୍ବରୁ ରାଜ୍ୟର ନୂଆ ମୁଖ୍ୟ ଶାସନଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ୧୯୯୦ ବ୍ୟାଚର ଏହି ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଥିଲେ । କେନ୍ଦ୍ରରେ ସେ କୃଷି ମନ୍ତ୍ରାଳୟର ସଚିବ ଭାବେ କାମ କରୁଥିଲେ । ହେଲେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଆଣିବାକୁ ଅନୁରୋଧ କରାଯାଇଥିଲା । ଏହାପରେ ତାଙ୍କ ଓଡିଶା ଫେରିବାକୁ ଅନୁମତି ମଧ୍ୟ ଦିଆଯାଇଥିଲା । ଏହାପରେ ସେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେଇପାରନ୍ତି ବୋଲି ଚର୍ଚ୍ଚା ହେଇ ଆସୁଥିଲା । ଆଉ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।

ତେବେ ମନୋଜ ଆହୁଜା ତାଙ୍କ କ୍ୟାରିୟରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାମ କରିସାରିଛନ୍ତି । କେନ୍ଦ୍ର ସରକାରଙ୍କ ସାଧାରଣ ଅଭିଯୋଗ ଏବଂ ପ୍ରଶିକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ସେ କାମ କରିସାରିଛନ୍ତି । ଏହାସହିତ ଓଡିଶାର ଇସ୍ପାତ ଓ ଖଣି, କ୍ରୀଡା ଓ ଯୁବ ବ୍ୟାପାର ବିଭାଗର କମିଶନର ଏବଂ ସଚିବ ଭାବେ ସେ କାମ କରିଛନ୍ତି । ତା ସହିତ ସେ ଶିକ୍ଷା ମନ୍ତ୍ରାଳୟରେ ସିବିଏସଇ ଚେୟାରମ୍ୟାନ୍ ଭାବେ ମଧ୍ୟ କାମ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ବର୍ଷର ବ୍ୟବଧାନ ପରେ, ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ଜଣେ ଅଣ ଓଡିଆ ଅଫିସରଙ୍କ ପାଖକୁ ଯାଉଛି । ୩୯ ବର୍ଷ ପରେ ଜଣେ ଅଣ ଓଡିଆ ଅଫିସର ରାଜ୍ୟର ମୁଖ୍ୟ ଶାସନ ସଚିବ ହେବାକୁ ଯାଉଛନ୍ତି । ଶେଷଥର ପାଇଁ ୧୯୮୩ ମସିହାରୁ ୧୯୮୫ ମସିହା ପର୍ୟ୍ୟନ୍ତ ଅଣ ଓଡିଆ ଅଫିସର ଜ୍ଞାନ ଚାନ୍ଦ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରେ ରହିଥିଲେ । ହେଲେ ଏହାପରଠାରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦ ଓଡିଆ ଅଫିସରଙ୍କ ପାଖରେ ରହିଆସିଥିଲା ।