ପେଟପାଟଣା ପାଇଁ ମୁମ୍ବାଇ ଯାଇଥିଲେ କନ୍ଧମାଳ ବାଲିଗୁଡା ଡହଲପଡିର ଅଙ୍ଗଦ ମଲ୍ଲିକ, ଦୁର୍ବୃତଙ୍କ ଆକ୍ରମଣରେ ହରାଇଲେ ହାତ

344

କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ । ପେଟ ପାଟଣା ଆଉ ପରିବାର ଚଳାଇବାକୁ ଯାଇଥିଲେ ସୁଦୂର ବମ୍ବେ । ହେଲେ ପାରିଶ୍ରମିକ ନୁହଁ ଦୁଇ ହାତ ହରାଇ ବସିଛନ୍ତି ଯୁବକ । ପରିବାରକୁ ଭଲରେ ରଖିବେ ଆଉ ଭବିଷ୍ୟତ ଗଢିବା ସ୍ୱପ୍ନ ତାଙ୍କର ମାଟିରେ ମିଶିଛି । ଷ୍ଟେସନରେ ବସିଥିବା ବେଳେ ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇ ଦୁଇ ହାତ ହରାଇଛନ୍ତି କନ୍ଧମାଳ ବାଲିଗୁଡା ଡହଲପଡିର ଯୁବକ ଅଙ୍ଗଦ ମଲ୍ଲିକ । ଦୁର୍ବୃତଙ୍କ ଲୁହାରଡ଼ରେ ଆକ୍ରମଣରେ ଲହୁଲୁହାଣ ହୋଇପଡିଥିବା ବେଳେ ଦୁଇ ହାତ ହରାଇ ସର୍ବହରା ହୋଇପଡିଛନ୍ତି ଅଙ୍ଗଦ । ପୁଅର ଏହିଭଳି ଅସହାୟ ଅବସ୍ଥା ଦେଖି ଭାଙ୍ଗିପଡିଛନ୍ତି ପରିବାର ।

ଦୁର୍ବୃତଙ୍କ ଆକ୍ରମଣର ଶିକାର ହୋଇ ଦୁଇ ହାତ ହରାଇଛନ୍ତି ଅଙ୍ଗଦ । ହେଲେ ସବୁୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁମ୍ବାଇରେ ଆକ୍ରମଣ ଶିକାର ହୋଇଥିବା ଅଙ୍ଗଦ ଗୁଜରାଟରୁ ଉଦ୍ଧାର ହୋଇଛନ୍ତି । କେମିତି ସେ ମୁମ୍ବାଇରୁ ଗୁଜରାଟ ପହଁଚିଲେ ସେନେଇ ଛାନଭିନ୍ କରୁଛି ପୁଲିସ ।

ଆକ୍ରମଣ ପରେ ପରେ ଅଙ୍ଗଦଙ୍କ ଖୋଜ ଖବର ମିଳୁନଥିବାରୁ ପରିବାର ଲୋକ ଏତଲା ଦେଇଥିଲେ । ଥାନା ଅଧିକାରୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।