ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗିହେବ ଦଶମୂଳମୋଦକ । ଅଣସର ଦଶମୀରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର

79

କନକ ବ୍ୟୁରୋ: ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓହ୍ଲାଉଛି ତାତି । ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ । ସ୍ନାନପୂର୍ଣ୍ଣିମା ଦିନ ସ୍ନାନ କରି ଅସୁସ୍ଥ ହୋଇପଡିଥିଲେ ଶ୍ରୀବିଗ୍ରହ । ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ । ଏବେ ବେହେରଣ ଦ୍ୱାର ଫିଟାଯିବା ସହ ଅଣସର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତିକୁ ସମ୍ପର୍ଣ୍ଣ କରାଯିବ ।

  • ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗିହେବ ଦଶମୂଳମୋଦକ
  • ଅଣସର ଦଶମୀରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର

ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ଆଜି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି । ରାଜବୈଦ୍ୟ ମାନେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି,ଗୋଖରା, ଲମ୍ବାଗୋତି,ଗମ୍ଭାରୀ,ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡା, ଲବଙ୍ଗ, ଦେଶୀ ଘିଅ, ମହୁ, ନବାତ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି । ମଙ୍ଗଳବାର ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଶ୍ରୀଜୀଉ ।

ଅନ୍ୟପଟେ ରଥଯାତ୍ରା ପାଇଁ ହାତରେ ଆଉ ୫ ଦିନ । ରଥ ନିର୍ମାଣକାରୀ ସେବାୟତଙ୍କ ହାତକୁ ଫୁରସତ ନାହିଁ । ରଥ ପାଇଁ ଆନୁସଙ୍ଗିକ କାଠ କାର୍ଯ୍ୟ ଶେଷ ହୋଇଛି । କେବଳ ରଥର ଉପରି ଭାଗର ଅଂଶ ଗୁଡ଼ିକ ଯୋଡାହେବା କାର୍ଯ୍ୟ ବାକି ରହିଛି । ପରମ୍ପରା ମୁତାବକ ରଥଚାଳିକୁ ଭୋଇ ସେବାୟତ ମାନେ କାଢିଛନ୍ତି । ଏଥିରୁ ବାହାରିଥିବା ବାଉଁଶରେ କଇଁଚି କରି ତିନି ରଥର ଚାରିଟି କରି ଦୁଆରବେଢ଼ା ରଥ ଉପରକୁ ଉଠାଯିବ । ରଥ ନିର୍ମାଣ ସମୟରେ ଦିଆଯାଉଥିବା ୯ଟି ହରିବୋଲ ମଧ୍ୟରୁ ଏହି ଦୁଆରବେଢ଼ା ଉଠିବା ସମୟରେ ମଧ୍ୟ ଗୋଟିଏ ହରିବୋଲ ଦେବେ ଭୋଇ ସେବାୟତ । ସେପଟେ ବନ ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ଅନେକ କାଠ ଅନୁପଯୁକ୍ତ ଯୋଗୁଁ ନଷ୍ଟ ହୋଇଥିଲା । କିନ୍ତୁ ପରେ ଖବର ପ୍ରସାରଣ ପରେ ଉପଯୁକ୍ତ କାଠ ଯୋଗାଇଦିଆଯିବା ସହ ମହାପ୍ରଭୁଙ୍କ ଇଛାରୁ ସଠିକ୍ ସମୟରେ କାର୍ଯ୍ୟ ସରିବାକୁ ଯାଉଛି । ମହାପ୍ରଭୁ ନିଜ କାମ ନିଜେ କରନ୍ତି ବୋଲି କହିଛନ୍ତି ଦେବଦଳନ ରଥ ମୁଖ୍ୟ ମହାରଣା ।

ସୂଚନାଯୋଗ୍ୟ ଯେ, ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଘୋଷଯାତ୍ରାରେ ଶୃଙ୍ଖଳା ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ।