ଟ୍ରାଫିକ ନିୟନ୍ତ୍ରଣ କରି ଦୁର୍ଘଟଣା ରୋକୁଥିଲେ, ପରିବାରକୁ ବେସାହାରା କରି ଅଫେରା ଦୁନିଆକୁ ଚାଲିଗଲେ ମାଲକାନଗିରିର ମଧୁସୂଦନ କିର୍ସାନୀ

540

କନକବ୍ୟୁରୋ: ଟ୍ରାଫିକ ପୋଷ୍ଟରେ ତାଙ୍କୁ ଦେଖିଲେ ଯାତ୍ରୀଙ୍କ ମନରେ ବିଶ୍ୱାସ ଓ ସାହସ ଭରିଯାଏ । ନିଷ୍ଠାପର ଭାବେ ସେ କର୍ତ୍ୟବରେ ଲାଗିଥାନ୍ତି । ହେଲେ ଏବେ ଆଉ ତାଙ୍କୁ ଦେଖିବାର ସୁଯୋଗ ମିଳିବନି । ଟ୍ରାଫିକ୍ ପୁଲିସ୍ କର୍ମଚାରୀ ଭାବେ କେତେ କେତେ ଦୁର୍ଘଟଣାକୁ ରୋକିଥିବା ମଧୁସୂଦନ କିର୍ସାନୀ, ନିଜେ ଦୁର୍ଘଟଣାରେ ଆଖି ବୁଜି ଦେଇଛନ୍ତି । ମଧୁସୂଦନ ଆଉ ନାହାଁନ୍ତି । ସେ’ ଆଉ ଡ୍ୟୁଟିକୁ ଆସିବେନି । ଟ୍ରାଫିକ୍ ପୋଷ୍ଟରେ ଠିଆ ହୋଇଥିବା ଆଉ ଦେଖିବାକୁ ମିଳିବେନି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ସରଳ ଓ ଶାନ୍ତ ମଣିଷକୁ ଆମଠୁ ଛଡେଇ ନେଇଛି । ଟ୍ରାଫିକ୍ ପୁଲିସ୍ କର୍ମଚାରୀ ଭାବେ କେତେ କେତେ ଦୁର୍ଘଟଣାକୁ ରୋକିଥିବା କିର୍ସାନୀ ଭାଇ, ହେଲେ ନିଜେ ଦୁର୍ଘଟଣାରେ ଆଖି ବୁଜି ଦେଇଛନ୍ତି । ୩-୩ଟି ପୁଅ । ପତ୍ନୀ, ବାପା-ମା’ । କେଡ଼େ ଖୁସିରେ ସଂସାର ଚାଲିଥିଲା । ମାଲନାଗିରିରୁ ଆସି ଭୁବନେଶ୍ୱରରେ ରହୁଥିଲେ ବି, ପରିବାର ପାଇଁ କିଛି ଅଭାବ ଛାଡ଼ି ନଥିଲେ ମାଲକାନଗିରିର ମଧୁସୂଦନ କିର୍ସାନୀ ।

ହେଲେ ସମସ୍ତଙ୍କୁ ଏକୁଟିଆ କରି ଚାଲିଗଲେ । ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଖଣ୍ଡଗିରିକୁ ବାଇକ୍ରେ ଫେରୁଥିବା ବେଳେ କଳିଙ୍ଗ ଷ୍ଟାଡିୟମ ନିକଟରେ ଧକ୍କା ଦେଇଥିଲା ଏକ ଅଜଣା ଗାଡ଼ି । ଆଉ ଆଖି ବୁଜି ଦେଲେ ମଧୁସୂଦନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେ ସବୁ ଦୃଶ୍ୟ ନା ଦେଖି ହେଉଛି ନା’ ଦେଖାଉ ହେଉଛି । ଦୁର୍ଘଟଣାରେ ମଧୂସୁଦନଙ୍କ ମୁଣ୍ଡ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ମଧୂସୁଦନଙ୍କୁ ସମସ୍ତେ ଝୁରି ହେଉଛନ୍ତି । ସାଥୀ, ସହକର୍ମୀ, ପୁଲିସ କର୍ମଚାରୀ, ସମସ୍ତେ । ଆଉ ଯିବା ସମୟରେ ଗାର୍ଡ ଅଫ୍ ଅନର ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଉ ଏହାରି ଭିତରେ ଘଟଣାର ତଦନ୍ତ କରାଯିବା ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।