ଗରିବଙ୍କ ପାଇଁ ଏଲପିଜି ସବସିଡି ବନ୍ଦ ହେବନି: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

39

କନକ ବ୍ୟୁରୋ: ଗରିବମାନଙ୍କୁ ଏଲପିଜି ସିଲିଣ୍ଡର୍ ଉପରେ ପ୍ରଦାନ କରାଯାଉଥିବା ସବସିଡି ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗରିବ ଲୋକମାନେ ବ୍ୟବହାର କରୁଥିବା ଏଲପିଜି ଏବଂ କିରାସିନି ଉପରୁ ସବସିଡି ପ୍ରତ୍ୟାହାର କରିବାର ଆମର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି ।

କିଛି ଦିନ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ପ୍ରତି ମାସରେ ରିହାତି ଦରରେ ପ୍ରଦାନ କରାଯାଉଥିବା ଏଲପିଜି ସିଲିଣ୍ଡର ମୂଲ୍ୟରେ ୪ ଟଙ୍କା ଲେଖାଏଁ ବୃଦ୍ଧି କରାଯିବ । ୨୦୧୮ ମାର୍ଚ ସୁଦ୍ଧା ଏଲପିଜି ଉପରୁ ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାର ଯୋଜନା ରହିଛି ବୋଲି ସରକାର ଘୋଷଣା କରିଥିଲେ । କିରାସିନିର ଲିଟର ପିଛା ମୂଲ୍ୟରେ ପ୍ରତି ୧୫ ଦିନରେ ଥରେ ୨୫ ପଇସା ଲେଖାଏଁ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି ।

କିରାସିନି ଉପରେ ମଧ୍ୟ ସବସିଡି ପ୍ରତ୍ୟାହାର କରିବାକୁ ସରକାରଙ୍କ ଯୋଜନା ରହିଛି । ଏହି ଦୁଇ ଖବର ସାର୍ବଜନୀନ ହେବା ପରେ ବିଭିନ୍ନ ମହଲରେ ତାହାକୁ ବିରୋଧ କରାଯିବା ସହ ସାରା ଦେଶର ବିଭିନ୍ନ ସ୍ଥାନରେ ଅନେକ ସଂଗଠନ ପକ୍ଷରୁ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେଥିପାଇଁ ତୈଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ସବସିଡି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ନାହିଁ ।

ଗରିବମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି ଶ୍ରୀ ପ୍ରଧାନ କହିବା ସହ ଗରିବମାନଙ୍କୁ ସବସିଡି ଦରରେ ଏଲପିଜି ଏବଂ କିରାସିନି ମିଳିବ । ତେବେ କେଉଁ ଗରିବମାନଙ୍କ କଥା ସେ କହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ଗରିବ ମହିଳାମାନଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରୁଛନ୍ତି ।

ଯଦି ଉଜ୍ୱଳା ସଂଯୋଗ ଥିବା ଲୋକମାନଙ୍କୁ ସବସିଡି ଏଲପିଜି ଏବଂ କିରାସିନି ପ୍ରଦାନ କରାଯିବ ତେବେ ଯେଉଁ ବିପିଏଲ୍ ପରିବାରଗୁଡ଼ିକ ଉଜ୍ୱଳା ଏଲପିଜି ସଂଯୋଗ ନେଇନାହାନ୍ତି ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିବ ତାହା ସ୍ପଷ୍ଟ ହୋଇନାହିଁ । କେଉଁ ମାନଦଣ୍ଡ ଅନୁଯାୟୀ ଏଲପିଜି ଏବଂ କିରାସିନି ସବସିଡି ପାଇଁ ଗରିବ ଚିହ୍ନଟ କରାଯିବ ତାହା ଜଣାପଡ଼ିନାହିଁ ।