କନକ ବ୍ୟୁରୋ: ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆସନ୍ତା ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍ (ସିଆମ୍) ପକ୍ଷରୁ ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡିର ସବିଶେଷ ସୂଚନା ଦିଆଯିବା ପରେ ଗାଡି ମାଲିକଙ୍କୁ ତାଙ୍କ ପସନ୍ଦ ଅନୁସାରେ ନମ୍ବର ପ୍ଲେଟ୍ ଲଗାଇବା ପାଇଁ ଦିନ ଓ ସ୍ଥାନ ଧାର୍ଯ୍ୟ କରିବେ । ଗାଡି ନିର୍ମାତା କମ୍ପାନୀ ଗୁଡିକଙ୍କ ଅନୁସାରେ, ବିଭିନ୍ନ ଗାଡିର ନମ୍ବର ପ୍ଳେଟ୍ ପାଇଁ ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ନମ୍ବର ପ୍ଲେଟ୍ ଲଗାଇବା ପାଇଁ ବୁକ୍ିଙ୍ଗ ପାଇଁ ସୋମବାର ରାଜ୍ୟ ପରିବହନ କମିସନର (ଏସଟିଏ) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ଗାଡି ମାଲିକ କିପରି ତାଙ୍କ ଗାଡି ନମ୍ବର ପ୍ଲେଟ୍ ପରିବର୍ତ୍ତନ ପାଇଁ ଆବେଦନ କରିବେ ସେନେଇ ଏସଟିଏ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସିଆମ୍ ପୋର୍ଟାଲକୁ ଯାଇ ‘ବ୍ଲକ ମାଇଁ ଏଚଏସଆରପି’ ରେ କ୍ଲିକ୍ କରିବେ । ଏହାପରେ ପୋର୍ଟାଲରେ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡିର ସୂଚନା ଦେବେ । କେଉଁ କମ୍ପାନୀ ଗାଡି, ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର ଲେଖିବାକୁ ପୋର୍ଟାଲ ପକ୍ଷରୁ କୁହାଯିବ ।
ଏହାକୁ କି୍ଲକ୍ କରିବା ପରେ ରାଜ୍ୟ ସରକାରଙ୍କ ବାହାନ ପୋର୍ଟାଲରୁ ଗାଡି ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ଏହି ପୋର୍ଟାଲରେ ଯଦି ସବୁ ତଥ୍ୟ ଠିକ ଥାଏ ତେବେ କେଉଁ ଦିନ , କେଉଁ ସ୍ଥାନରେ ଗାଡି ନମ୍ବର ଲଗାଇବାକୁ ଚାହୁଁଛନ୍ତି ସେ ନେଇ ଚଏସ୍ ଅପ୍ସନ୍ ଆସିବ । ଗାଡି ମାଲିକ ନିଜ ପସନ୍ଦ ଅନୁସାରେ ଜାଗା, ସ୍ଥାନ କ୍ଲିକ୍ କରିବା ପରେ ଏହି ନମ୍ବର ବଦଳାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । ଏହି ପୋର୍ଟାଲକୁ ଯିବା ପୂର୍ବରୁ ପ୍ରଥମେ ଗାଡି ନମ୍ବର ବଦଳାଇବା ପାଇଁ କେତେ ଟଙ୍କା ଧାର୍ଯ୍ୟ କରାଯାଇଛି ସେ ବାବଦରେ ଉଲ୍ଲେଖ କରାଯିବ । ଦୁଇ ଚକିଆ ଗାଡିର ନମ୍ବର ପ୍ଲେଟ୍୍ ବଦଳାଇବା ଲାଗି ୩୨୦ ରୁ ୩୮୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ସେହିପରରି ୩ଚକିଆ ଗାଡି ପାଇଁ ୩୫୦ରୁ ୪୫୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୫୯୦ରୁ ୭୦୦ ଟଙ୍କା ଏବଂ ଭାରୀଯାନ ପାଇଁ ୬୦୦ରୁ ୮୦୦ ଟଙ୍କା ଧାଯଁ କରାଯାଇଛି ।
ନିୟମ ଅନୁସାରେ ଗାଡି ଗୁଡିକର ପଞ୍ଚୀକରଣ ନମ୍ବର ଅନୁସାରେ ଏଚଏସଆରପି ନମ୍ବର ଲଗାଇବର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଯେଉଁ ଗାଡି ଗୁଡିକ ପଞ୍ଜୀକରଣ ଶେଷ ନମ୍ବର ୧ ଏବଂ ୨ରୁ ଆରମ୍ଭ ସେମାନେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ । ସେହିପରି ଯେଉଁ ଗାଡିର ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ସେହି ଗାଡି ଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା; ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ଯେଉଁସବୁ ଗାଡିର ପଞ୍ଜୀକରଣ ନମ୍ବର ୯ ଓ ୦ ରେ ଶେଷ ହୋଇଛି ସେମାନଙ୍କ ପାଇଁ ଶେଷ ସମୟ ସୀମା ଡିସେମ୍ବର ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ଯେଉଁମାନେ ଏହି ଧାର୍ଯ୍ୟ ସମୟ ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଲଗାଇବେ ସେମାନଙ୍କ ଉପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଲାଗିବାକୁ ନିୟମ ହୋଇଛି ।