ବିଶ୍ୱ ଫଟୋଗ୍ରାଫି ଦିବସ । ଜାଣନ୍ତୁ ଓଡିଶାର ପ୍ରଥମ ଫଟୋ ସାମ୍ବାଦିକଙ୍କ କାହାଣୀ

177

କନକ ବ୍ୟୁରୋ : ଅଗଷ୍ଟ ୧୯, ବିଶ୍ୱ ଫଟୋଗ୍ରାଫି ଦିବସ । କୁହାଯାଏ, ଶହେ ଶବ୍ଦ ଅପେକ୍ଷା ଗୋଟିଏ ଫଟୋ ଅନେକ କିଛି ବୟାନ କରିପାରେ । ଜୀବନର ଅଭୁଲା ଓ ସ୍ମରଣୀୟ ମୂହୁର୍ତକୁ ଚିରସ୍ମରଣୀୟ କରିବା ପାଇଁ ଫୋଟଗ୍ରାଫିର ଭୂମିକା ବେଶ ଗୁରତ୍ୱପୁର୍ଣ୍ଣ । ସୁନ୍ଦର ସ୍ମୃତିକୁ କ୍ୟାମେରା ଲେନ୍ସରେ କେମିତି ବାନ୍ଧି ରଖାଯାଇପାରିବ ସେ କଳା ଫୋଟଗ୍ରାଫରଙ୍କୁ ହିଁ ଜଣା । ଅସଜଡା ଆଲବମରେ ଫୋଟଟିଏ ଦେଖିଲେ ପୁରୁଣା ଦିନର ସ୍ମୃତି ତାଜା ହୋଇଯାଏ । ଆଉ ଏସବୁ ସେହି ଫଟୋଗ୍ରାଫରଙ୍କ ପାଇଁ ହିଁ ସମ୍ଭବ । ଆସନ୍ତୁ ଜାଣିବା ବିଶ୍ୱ ଫଟୋଗ୍ରାଫି ଦିବସରେ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକଙ୍କ କାହାଣୀ ।

ରାଜତନ୍ତ୍ର ସମୟରୁ ରାଜନଅରରେ ଫଟୋ ଉଠାଇ ଜଣେ ସଫଳ ଫଟୋଗ୍ରାଫର ହୋଇପାରିଛନ୍ତି । ସ୍କୁଲ ପାଠ ସରିବା ପରେ ଫଟୋଗ୍ରାଫିକୁ ପେଶା ଭାବେ ଗ୍ରହଣ କରିଥିଲେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ । ୧୯୪୨ ମସିହାରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜ ଦେଓଙ୍କ ଶାସନ କାଳରେ ରାଜ ଦରବାରରେ ଜଣେ ସ୍ୱତନ୍ତ୍ର ଫଟୋଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଇନ୍ଦିରା ଗାନ୍ଧୀ ବାରିପଦା ଆସିଥିବା ବେଳେ ତାଙ୍କର ଏକ ଫଟୋ ଉଠାଇ ପ୍ରସଂଶିତ ହୋଇଥିଲେ । ସେହି ଫଟୋଟି ପରବର୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ପ୍ରକାଶିତ ଏକ ପୁସ୍ତକର କଭର ପେଜରେ ସ୍ଥାନ ପାଇଥିଲା । ଯାହା ତାଙ୍କ ଜୀବନର ବଡ଼ ସଫଳତା ବୋଲି କୁହନ୍ତି ପୂର୍ଣ୍ଣଚନ୍ଦ୍ର ।
୧୯୪୨ ମସିହାରେ ଫଟୋ ଉଠାଇବା ବର୍ତ୍ତମାନ ଭଳି ସହଜ ନଥିଲା । ସେତେବେଳେ କ୍ୟାମେରା ବାବଦରେ ସାଧାରଣ ଜନତା ବିଶେଷ କିଛି ଜାଣିନଥିଲେ । କେବଳ ରାଜା ଓ ସାହେବମାନେ ବିଲାତରୁ ଫଟୋଗ୍ରାଫର ଆଣି ଫଟୋ ଉଠାଇଥିଲେ । ବିଦେଶୀ ଫଟୋଗ୍ରାଫରଙ୍କ ଭିତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପକା କରିଥିଲେ ପୂର୍ଣ୍ଣଚନ୍ଦ୍ର । କ୍ୟାମେରାରେ ଫଟୋ ଉଠାଇବା, ତାକୁ ଡେଭଲପ୍ କରିବା ବହୁତ କଷ୍ଟ ସାଧ୍ୟ ଥିଲା । ଅନ୍ଧାର ଘରେ ଫିଲ୍ମ ଡେଭଲପ କରିବା, କେଉଁ କେମିକାଲକୁ କେତେ ମାତ୍ରାରେ ବ୍ୟବହାର କରି ସୁନ୍ଦର ଫଟୋଗ୍ରାଫ କରାଯିବ, ଥ୍ରୀ ଡାଇମେନସନ୍ ଫଟୋଗ୍ରାଫି କରିବାରେ ବେଶ ପାରଙ୍ଗମ ଥିଲେ ପୂର୍ଣ୍ଣଚନ୍ଦ୍ର । ସେଥିପାଇଁ ସେ ରାଜ ପରିବାରଠୁ ଆରମ୍ଭ କରି ବ୍ରିଟିଶ ଅଫିସର ଓ ଧନୀ ଶ୍ରେଣୀରେ ବ୍ୟକ୍ତିଙ୍କ ଫଟୋ ଉଠାଉଥିଲେ ।

କେବଳ ମୟୂରଭଞ୍ଜ ନୁହେଁ ବରଂ ଦେଶ ବିଦେଶରେ ଫଟୋ ଉଠାଇବା ପାଇଁ ପୂର୍ଣ୍ଣଚନ୍ଦ୍ରଙ୍କୁ ଡକରା ଆସୁଥିଲା । ଦିନେ ନେପାଳର ରାଜା, ଫଟୋ ଉଠାଇବାକୁ ଡାକି ଜର୍ମାନମେଜ କ୍ୟାମେରା ଉପହାର ଦେଇଥିଲେ । ଫଟୋ ଉଠାଇବାର ନିଶା ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କୁ ପାଗଳ କରୁଥିଲା, ନିଜ ମଟର ସାଇକେଲରେ ବିଭିନ୍ନ ସ୍ଥାନକୁ ଯାଇ ଫଟୋ ଉଠାଉଥିଲେ । ଏବେ ବି ବାପାଙ୍କର ସେହି ସବୁ ଫଟୋ ଓ କ୍ୟାମେରାକୁ ଯତ୍ନର ସହିତ ସାଇତି ରଖିଛନ୍ତି ପୁଅ ସୋମଶ୍ରୀ ବିନ୍ଧାଣୀ ।