ବିବାଦ ଯୋଗୁଁ ରାଜନଗର ଜଗନ୍ନାଥ ମନ୍ଦିରରେ ପଡିଛି ତାଲା । ୧୮ ବର୍ଷ ହେଲା ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ

270

କନକ ବ୍ୟୁରୋ: କେନ୍ଦ୍ରାପଡା ରାଜନଗର କେରେଡାଗଡ ଶ୍ରୀଜଗନ୍ନାଥ ମନ୍ଦିର । ୧୮ ବର୍ଷ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରୁନାହାନ୍ତି ଭକ୍ତମାନେ । ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଯୋଗୁ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କୁ ଦେଖିପାରୁନାହାନ୍ତି ଭକ୍ତମାନେ । ମନ୍ଦିର ଗେଟରେ ତାଲା ଝୁଲଥିବା ବେଳେ ବେଢା ମଧ୍ୟକୁ ଭକ୍ତଙ୍କ ପ୍ରବେଶ ବି କରାଯାଉନି । ଭକ୍ତଟିଏ ଦର୍ଶନ କରିବାକୁ ଆସିଲେ ୫୦ଫୁଟ ଦୂର ରାସ୍ତାରୁ ଦର୍ଶନ କରିଯାଉଛି ।

୨୦୦୬ ମସିହା କାର୍ତ୍ତିକ ପୂର୍ଣ୍ଣିମାରେ ବିବାଦ ହୋଇଥିବା ବେଳେ ଏହି ଘଟଣା ବଡ ଆକାର ନେଇଥିଲା । ତା ପରଠାରୁ ଜଗନ୍ନାଥଙ୍କ ଦର୍ଶନ ଉପରେ ଲାଗିଲା କଟକଣା । ଜିଲ୍ଲା ପ୍ରଶାସନର ଅଜବ ନିଷ୍ପତିକୁ ଭକ୍ତମାନେ ବିରୋଧ କରୁଛନ୍ତି । ଖୁବଶୀଘ୍ର ଲାଗିଥିବା କଟକଣା ହଟାଇବାକୁ ଦାବି କରିଆସୁଛନ୍ତି । ହେଲେ ଏହାର କୌଣସି ସମାଧାନ ହୋଇପାରୁନି ।

ରାଜନଗରରେ ଥିବା ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କୁ ବାରଣ ରହିଛି । ଏହି ଅଞ୍ଚଳରେ ଭକ୍ତମାନେ କେବଳ ରଥଯାତ୍ରାରେ ଭଗବାନଙ୍କୁ ଭିଡ ଭିତରେ ଯାହା ଦର୍ଶନ କରିଥାନ୍ତି। ହେଲେ ଅନ୍ୟ ଦିନରେ ଦର୍ଶନ ପାଇବାରୁ ବଂଚିତ ରହୁଥିବାରୁ ବିରୋଧ କରିଆସୁଛନ୍ତି ଭକ୍ତ। ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ସମାଧାନ ବାହାର କରାଯିବାର ମିଳିଛି ପ୍ରତିଶ୍ରୁତି । ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିନପାରି ଭକ୍ତଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢି ବଢି ଚାଲିଛି। କେବେ ମନ୍ଦିରେ ପ୍ରଭୁଙ୍କ ପୂଜା କରି ଦର୍ଶନ କରିପାରିବେ ଅପେକ୍ଷାରେ ରହିଛନ୍ତି ଭକ୍ତ ମାନେ ।