ସୁପର ସଣ୍ଡେରେ ହେଟମାୟର ସୁପର ଶୋ’ : ଗୁଜରାଟ ଟାଇଟନ୍ସକୁ ହରାଇଲା ରାଜସ୍ଥାନ ରୟାଲ

110

କନକ ବ୍ୟୁରୋ : ରାଜସ୍ଥାନ ରୟାଲ୍ସର ଆଉଏକ ଜବରଦସ୍ତ ବିଜୟ । ରବିବାର ଖେଳାଯାଇଥିବା ଏକ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ହରାଇଛି ସଂଜୁ ସାମସନଙ୍କ ଟିମ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ୭ ୱିକେଟ୍ ହରାଇ କରିଥିଲା ୧୭୭ ରନ୍ । ଜବାବରେ ଅଧିନାୟକ ସଂଜୁ ସାମସନ ଓ ଶିମରାନ ହେଟମାୟରଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ମୁକାବିଲାକୁ ଜିତି ନେଇଥିଲା ।

ହେଟମାୟର ୨୬ ବଲର ସାମ୍ନା କରି ୨ଟି ଚୌକା ଓ ୫ଟି ଛକା ସହ ୫୬ ରନ୍ କରି ଅପରାଜିତ ଥିଲେ । ସାମସନ୍ ୩୨ ବଲରେ ଦ୍ରୁତ ୬୦ ରନର ଉପଯୋଗୀ ଇନିଂସ ଖେଳିଥିଲେ । ସେହିପରି ରବିବାର ଖେଳାଯାଇଥିବା ଆଉ ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇଛି । କୋଲକାତା ଦ୍ୱାରା ଧାର୍ଯ୍ୟ ୧୮୬ ରନର ବିଜୟଲକ୍ଷ୍ୟକୁ ମୁମ୍ବାଇ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା ।

ଦଳ ପକ୍ଷରୁ ଇଶାନ କିଷନ ୫୮ ରନ୍, ସୂର୍ଯ୍ୟକୁମାର ଯାଦବ ୪୩ ରନ୍, ତିଳକ ବର୍ମା ୩୦ ରନ୍ ଓ ରୋହିତ ଶର୍ମା ୨୦ ରନ୍ କରିଥିଲେ । ଏହି ମ୍ୟାଚରେ ରୋହିତଙ୍କ ବଦଳରେ ସୂର୍ଯ୍ୟକୁମାର ମୁମ୍ବାଇର ନେତୃତ୍ୱ ନେଇଥିଲେ । ସେହିପରି ଏହି ମ୍ୟାଚ୍ ଜରିଆରେ ଆଇପିଏଲ୍ ପଦାର୍ପଣ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅଜୁର୍ନ ତେନ୍ଦୁଲକର ।