ଜାମିନ୍ ସତ୍ୱେ ଜେଲରୁ ମୁକୁଳି ପାରୁନଥିବା ଗରିବ କଏଦୀଙ୍କୁ ଆଶ୍ୱସ୍ତି : ଜେଲ ଅଧିକାରୀଙ୍କୁ କ’ଣ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ?

297

କନକ ବ୍ୟୁରୋ : ଜାମିନ୍ ପାଇବା ପରେ ବି ଦେଶର ବିଭିନ୍ନ ଜେଲରେ ଛୋଟ ଅପରାଧରେ ଶଢୁଛନ୍ତି ଅନେକ ଗରିବ । ସେମାନଙ୍କୁ ଖଲାସ କରିବା ପାଇଁ ନ୍ୟାୟପାଳିକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆବେଗପୂର୍ଣ୍ଣ ଭାଷଣ ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଏ ଦିଗରେ ତତ୍ପରତା ଦେଖାଇଛନ୍ତି । ଏପରି କଏଦୀ ସମ୍ପର୍କରେ ୧୫ ଦିନ ମଧ୍ୟରେ ଜେଲ ଅଧିକାରୀ ରିପୋର୍ଟ ଦେବେ ।

ଜାତୀୟ ଆଇନ ସେବା ପ୍ରାଧିକରଣକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ସଂପର୍କରେ ବିବରଣୀ ମିଳିବା ପରେ କଏଦୀଙ୍କ ମୁକ୍ତି ପାଇଁ ଯୋଜନା ପ୍ରସ୍ତୁତ ହେବ । ଗରିବମାନେ ଜାମିନ୍ ବାବଦ ଅର୍ଥ ଭରଣା କରିବାକୁ ସକ୍ଷମ ନଥିବାରୁ ବିଭିନ୍ନ ଜେଲରେ ବନ୍ଦୀ ଜୀବନ କଟାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗତ ୨୬ ତାରିଖ ଦିନ ସମ୍ବିଧାନ ଦିବସ ସମାରୋହରେ କହିଥିଲେ ରାଷ୍ଟ୍ରପତି । ସେମାନଙ୍କ ପାଖରେ ଜମାନତ ଅର୍ଥ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ।

ଏଭଳି ଗରିବ କଏଦୀଙ୍କୁ ମୁକ୍ତ କରିବା ପାଇଁ ମାନବୀୟ ଦୃଷ୍ଟିକୋଣରୁ ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରାମର୍ଶ ଦେଇଥିଲେ । ବିଶେଷ କରି ଗରିବ ଆଦିବାସୀମାନେ କିଭଳି ଅପରାଧରୁ ମୁକ୍ତ ହେବା ସତ୍ୱେ ଜେଲରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ଏବେ ସୁପ୍ରିମକୋର୍ଟ ନେଇଥିବା ପଦକ୍ଷେପ ଗରିବ କଏଦୀଙ୍କ ମୁକ୍ତି ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ଜେଲ ଅଧିକାରୀଙ୍କୁ କ’ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ?

କ’ଣ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ ?

– ୧୫ ଦିନ ମଧ୍ୟରେ ରିପୋର୍ଟ ଦେବେ ଜେଲ ଅଧିକାରୀ
– ଜେଲ ଅଧିକାରୀ କଏଦୀଙ୍କ ନାମ ଜଣାଇବେ
– କେଉଁ ଅପରାଧରେ ଜେଲରେ ଅଛନ୍ତିି ଜଣାଇବାକୁ ନିର୍ଦ୍ଦେଶ
– କେବେ କଏଦୀଙ୍କୁ ମିଳିଥିଲା ଜାମିନ୍ ତାରିଖ ଜଣାଇବେ
– ଜାମିନ୍ର କେଉଁ ସର୍ତ୍ତ ପୂରଣ କରିନାହାନ୍ତି କଏଦୀ
– ଜାମିନ୍ ମିଳିବା ପରେ କେତେ ଦିନ ହେବ ଜେଲରେ ଅଛନ୍ତି
– କେତେ ଦିନ ହେବ ଜେଲରେ ରହିଛନ୍ତି କଏଦୀ ଜଣାଇବେ