ମୁଁ ନୁହେଁ ନକଲି ଶିକ୍ଷକ : ସାର୍ଟିଫିକେଟରେ ସାମନ୍ୟ ତ୍ରୁଟି ପାଇଁ ଏବେ ଚାକିରିର ଶେଷ କାଳରେ ହିନସ୍ତା ହେଉଛନ୍ତି ସ୍ୱର୍ଣ୍ଣଲତା ନାୟକ

18,251

କନକ ବ୍ୟୁରୋ : ସାର୍ଟିଫିକେଟରେ ବୟସ ତାରତମ୍ୟକୁ ନେଇ ଲୁହ ଝରାଉଛନ୍ତି ଜଣେ ଅସହାୟ ଶିକ୍ଷୟିତ୍ରୀ । ବାପା, ମା’, କିମ୍ବା ସେତେବେଳେର ଶିକ୍ଷକଙ୍କ ସାମାନ୍ୟ ଭୁଲ ଯୋଗୁଁ ଚାକିରିର ଶେଷ ସମୟରେ ଦରମା ବନ୍ଦ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କର ୫ମାସ ହେବ ଦରମା ବନ୍ଦ କରିଦିଆଯାଇଛି । ଦରମା ପାଇଁ ଯାଇ ଗୁହାରି କଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁନଥିବା କହିଛନ୍ତି ଶିକ୍ଷୟିତ୍ରୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ଗାଁର ସ୍ୱର୍ଣ୍ଣଲତା ନାୟକ ।

ସେ ୧୯୮୫ ମସିହାରେ ପୁରୁଷୋତମପୁର ଝଗଡେଶ୍ୱର ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ହୋଇ ୧୯୮୮ରେ ଦଶମ ପାସ କରିଥିବା ସ୍କୁଲ ରେଜିଷ୍ଟରରେ ଉଲ୍ଲେଖ ରହିଛି । ସେହିପରି ତାଙ୍କ ଜନ୍ମ ତାରିଖ ହାଇସ୍କୁଲରେ ୧୯୭୧ ଥିବା ବେଳେ ପ୍ରାଥମିକ ସ୍କୁଲରେ ତାଙ୍କ ଜନ୍ମ ବର୍ଷ ୧୯୫୬ ବୋଲି ଉଲ୍ଲେଖ ରହିଛି । ସେ ସମୟରେ ଜନ୍ମ ତାରିଖ ଗୋଟିଏ ଥିବା ବେଳେ ହାଇସ୍କୁଲରେ ଆଉ ଗୋଟିଏ ଜନ୍ମ ତାରିଖ ରହିଛି । ଏହି ବୟସ ତାରତମ୍ୟକୁ ନେଇ ଜଣେ ବ୍ୟକ୍ତି ବିଇଓଙ୍କ ନିକଟରେ ଅଭିଯୋଗ କରିବାରୁ ୫ମାସ ହେବ ସ୍ୱର୍ଣ୍ଣଲତାଙ୍କ ଦରମା ବନ୍ଦ କରିଛନ୍ତି ବିଇଓ । ପ୍ରକୃତରେ ଏହା ପାଇଁ ଦାଇ କିଏ ଆଉ ଏହାର ପରିଣାମ ଭୋଗୁଛି କିଏ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ତାଳପତ୍ର ପଞ୍ଜିକାରେ ସ୍ୱର୍ଣ୍ଣଲତାଙ୍କ ଜନ୍ମ ତାରିଖ ୧୯୭୧ ରହିଛି । ହେଲେ ୟୁପି, ମାଇନର ସ୍କୁଲରେ ଜନ୍ମ ତାରିଖ ଭୁଲ ରହିଛି । ଯାହାକୁ ନେଇ ଚାକିରିର ଶେଷ କାଳରେ ହଇରାଣ ହେଉଛନ୍ତି ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା । ନବମ ଶ୍ରେଣୀ ଟିସିରେ ମଧ୍ୟ ତାଙ୍କର ୧୯୭୧ ଜନ୍ମ ତାରିଖ ରହିଛି । ହେଲେ ବ୍ରଜ ମୋହନା ହାଇସ୍କୁଲରେ ପ୍ରଧାନ ଶିକ୍ଷକ କହିଛନ୍ତି ୧୯୮୫ ମସିହାରେ ସ୍ୱର୍ଣ୍ଣଲତାଙ୍କ ନାଁ ନାହିଁ । ବିଇଓ ଏଭଳି ଅଭିଯୋଗ ପାଇବା ପରେ ତାଙ୍କ କାଗଜପତ୍ର ସଂଗ୍ରହ କରି ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଇଛନ୍ତି । ଏବେ କେଉଁ ଜାଗାରେ ତାଙ୍କ ଜନ୍ମ ବର୍ଷ ଭୁଲ ହୋଇଛି ତାହାକୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ଶିକ୍ଷୟତ୍ରୀ ।