ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ୍ : ଘଣ୍ଟାଏ ରହଣୀ ପରେ ଛାଡ଼ିବ ହାୱଡ଼ା

1,006

କନକ ବ୍ୟୁରୋ : ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ । ଏହି ଟ୍ରେନ୍ ହାୱଡ଼ା ଷ୍ଟେସନରୁ ସକାଳ ୬ଟା୧୦ ମିନିଟରୁ ବାହିରିଛି । ଦିନ ୧୧ଟା ୨୨ରେ ଭୁବନେଶ୍ୱର ରେଳ ଷ୍ଟେସନ ଅତିକ୍ରମ କରି ପୁରୀ ଅଭିମୁଖେ ବାହାରିଥିଲା । ଦିନ ୧୨ଟା ୩୫ରେ ପୁରୀ ପହଞ୍ଚିଥିଲା ଟ୍ରେନ । ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରେ କିଛି ସମୟ ରହିବା ପରେ ଅପରାହ୍ନ ୧ଟା ୫୦ରେ ହାୱଡା ଅଭିମୁଖେ ବାହାରିବ । ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ପରୀକ୍ଷାମୂଳକ ଯାତ୍ରା ସଫଳ ହେଲାପରେ ଆସନ୍ତା ମେ’ ମାସ ଦ୍ୱିତୀୟ ସପ୍ତାହରୁ ଜନସାଧାରଣଙ୍କ ପାଇଁ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପରୀକ୍ଷାମୂଳକ ଭାବେ ଏହି ଟ୍ରେନ ଗଡିବାର ଉଦ୍ଦେଶ୍ୟ ହେଉଛି ଟ୍ରେନକୁ ସୁରୁଖୁରୁରେ ପରିଚାଳନାକୁ ସୁନିଶ୍ଚିତ କରିବା ଏବଂ ଟ୍ରେନ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ଏବଂ ଅସୁବିଧା ବାବଦରେ ଅବଗତ ହେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଫେବ୍ରୁଆରି ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଶୁଭାରମ୍ଭ କରିଥିଲେ ।

ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା । ସେହିଦିନ ଠାରୁ ଏପର୍ଯନ୍ତ ଦେଶର ୭ଟି ରୁଟ୍ରେ ଏହି ଟ୍ରେନ୍ ପରିଚାଳିତ ହେଉଛି । ଆଉ ଏବେ ଭାରତୀୟ ରେଳବାଇର ଏହି ସେମି ଦ୍ରୁତଗାମୀ ଟ୍ରେନ୍ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଆଗାମୀ ଦିନରେ ପୁରୀରୁ ହାୱଡା ମଧ୍ୟରେ ଚାଲିବ । ଏହି ଟ୍ରେନର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି । ତେଣୁ ଆସନ୍ତାମାସରେ ମୋଦୀ ଓଡିଶା ଆସିବା ନେଇ ସମ୍ଭାବନା ରହିଛି ।