ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମିତି ଚାଲିଛି ଚିକତ୍ସା? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ

442

କନକ ବ୍ୟୁରୋ: ସ୍ବାସ୍ଥ୍ୟସେବା ଯୋଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନେଇ ସରକାର ବାହାବା ନେଉଛନ୍ତି । ହେଲେ ବାସ୍ତବ ସ୍ଥିତି କଣ ଜାଣିବାକୁ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ପାଖକୁ ଆସିଛନ୍ତି ରୋଗୀ । ଡାକ୍ତରଙ୍କୁ ଦେଖାଇବା ପାଇଁ ନାମ ପଞ୍ଜୀକରଣଠୁ ଆରମ୍ଭ କରି ଡାକ୍ତରଙ୍କୁ ଦେଖାଇବା ଲୋକଙ୍କ ଭିଡ ଜମିଛି । ହେଲେ ବିଡମ୍ବନାର ବିଷୟ, ଡାକ୍ତରଙ୍କ ଅଭାବ ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରିପକାଇଛି । ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ଯୋଗୁଁ ଚିକିତ୍ସା ପାଇଁ ଆସିଥିବା ଗୁରୁତର ରୋଗୀ ହନ୍ତସନ୍ତ ହେଉଛନ୍ତି ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୨୬ ଡାକ୍ତର ପଦବୀ ରହିଛି
ନିଯୁକ୍ତ ହୋଇଛନ୍ତି ୨୮ ଜଣ ଡାକ୍ତର
୩୯୯ ନର୍ସିଂ ଅଫିସର ପଦବୀରୁ ୨୨୨ ପଦବୀ ଖାଲି
୫୧ ଫାର୍ମାସିଷ୍ଟ ପଦବୀ, ୨୮ ଜଣ କାର୍ୟ୍ୟରତ

ବିଶେଷ କରି ଜିଲ୍ଲାରେ ଶିଶୁ ରୋଗ, ଆନାସ୍ଥେସିଆ, ଇନିଏଟ ବିଶେଷଜ୍ଞ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡିରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯଦି ଏମିତି, ତେବେ ଜିଲ୍ଲାର ଅନ୍ୟ ହସ୍ପିଟାଲର ସ୍ଥିତି କେମିତି ଥିବ ବୁଝିହେଉଛି ।
ଦୀର୍ଘ ୮ ମାସ ତଳେ ଉଦଘାଟନ ହୋଇଥିବା ଏହି ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ କାର୍ଯ୍ୟକ୍ଷମ ଏଯାଏଁ ହୋଇନାହିଁ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଚାଲିଛି ରୋଗୀ ସେବା । ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଟ୍ରମା କେୟାର ସେଣ୍ଟରରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । କୋଭିଡ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରାଯାଇଥିବା ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ଅଚଳ ହୋଇ ପଡିଛି । କେବଳ ଏତିକି ନୁହେଁ ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ଚିକିତ୍ସା ସେବାକୁ ପ୍ରଭାବିତ କରୁଛି । ଲୋକଙ୍କ ଅଭିଯୋଗ ଗୁରୁତର ରୋଗୀ ମେଡିକାଲକୁ ଆସିଲେ ଭୁବନେଶ୍ବରକୁ ସ୍ଥାନାନ୍ତର କରିଦିଆଯାଉଛି ।

ଖୋର୍ଦ୍ଧା ଓ ଗଜପତିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତିଭୂମୀ ସାଙ୍ଗକୁ ଡାକ୍ତର ଅଭାବ ସ୍ବାସ୍ଥ୍ୟ ସେବାକୁ ରୁଗଣ କରି ପକାଇଛି ।