ଯେଉଁଠି ସିଝି ଥିଲା ସେଇଠି ଭିଜିଲା: ସବୁଠୁ ଅଧିକ ଉତପ୍ତ ହୋଇଥିବା ସମ୍ବଲପୁରରେ ସବୁଠୁ ଅଧିକ ବର୍ଷା

1,661

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତର-ପଶ୍ଚିମ ବଙ୍ଗୋପସାଗରର ପାଶ୍ୱବର୍ତୀ ଉତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୭ ଦଶମିକ ୬ କିଲୋମିଟର ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ସକ୍ରୀୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡିଶାକୁ ମୌସୁମୀ ବାୟୁ ପ୍ରବେଶ କରି ସାରିଥିବାରୁ ବଙ୍ଗୋପସାଗରରେ ଆସିଥିବା ଲଘୁଚାପ ଏହାକୁ ଆହୁରି ସକ୍ରିୟ କରିବ । ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ ବର୍ଷା । ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ହୋଇପାରେ ।

ଆଜି ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ଝାରସୁୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧରେ ତଳିଆ ଅଂଚଳରେ ଜଳବନ୍ଦୀ ପରି ସମସ୍ୟା ଉପୁଜିପାରେ । ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅଧିକ ଦୂରତା ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ । ସହରାଂଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ । ବିପଦସଙ୍କୁଳ ଅବସ୍ଥାରେ ଥିବା ମାଟି ଘର ଭୁଶୁଡ଼ିପଡ଼ିବା ଆଶଙ୍କା ମଧ୍ୟ ରହିଛି ।