ଗୋଡ କାଟିଦେଲା କ୍ୟାନସର: ଜୀବନ ବଞ୍ଚାଇବାକୁ ଗୋଡ କଟିଲା, ଜୀବନ ବିତେଇବାକୁ କଲବଲ କଲା । ପରିବାରର ଏକମାତ୍ର ପୁଅ ବେସାହାରା ହେବା ପରେ ଭାଙ୍ଗି ପଡିଛନ୍ତି ବାପାମାଆ

325

କନକ ବ୍ୟୁରୋ: କଟିଯାଇଛି ଗୋଡ, ବଦଳିଯାଇଛି ଜୀବନର ମୋଡ । ଦୁଇ ବର୍ଷ ତଳେ ଦୁଇ ଗୋଡରୁ ଗୋଟିଏ ଗୋଡ ଅଲଗା ହେବା ପରେ ଏବେ ଖଣ୍ଡେ ବାଡି ଉପରେ ଭରସା କରି ବାଟ ଚାଲୁଛନ୍ତି ବେସାହାରା ସିଦ୍ଧାନ୍ତ । ଚୁଲିରୁ ଉଠୁଥିବା ଏ ଧୂଆଁ ପରି ସିଦ୍ଧାନ୍ତଙ୍କ ଜୀବନ ବି ଧୂଆଁ ଧୂଆଁ ହୋଇଗଲା । ପାଠପଢି ବଡ ମଣିଷ ହୋଇ ପରିବାରର ଦୁଃଖ ଦୂରେଇବାକୁ ସିଦ୍ଧାନ୍ତ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏଇ ଧୂଆଁ ପରି ମିଳେଇଯିବା ପରେ ନିଜ ଭବିଷ୍ୟତ କଥା ଭାବି ଭାଙ୍ଗି ପଡିଛନ୍ତି ସିଦ୍ଧାନ୍ତ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁମୁସି ଗାଁର ପ୍ରକାଶ ନାୟକଙ୍କ ଏକମାତ୍ର ପୁଅ ସିଦ୍ଧାନ୍ତ ବିଛଣାରେ ପଡିଛନ୍ତି । ଦଶମ ପରୀକ୍ଷା ପରେ ସିଦ୍ଧାନ୍ତଙ୍କ ଗୋଡରେ ହୋଇଥିବା ଟ୍ୟୁମର କ୍ୟାନସରର ରୂପ ନେଇଥିଲା । ପ୍ରଥମେ ଢେଙ୍କାନାଳ ଓ ପରେ କଟକରେ ଦେଖାଇଥିଲେ ବି ଅପରେସନ ପାଇଁ ଅର୍ଥ ଦରକାର ବୋଲି କହିଥିଲେ ଡାକ୍ତର । ମାତ୍ର ଭଙ୍ଗା ଚାଳ ଘରେ ପଲିଥିନ ଟାଣି ରହୁଥିବା ସିଦ୍ଧାନ୍ତଙ୍କ ପରିବାର ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ କରିବା ଅସମ୍ଭବ ଥିବାରୁ ବାଧ୍ୟ ହୋଇ ଗୋଡ କାଟିବାକୁ ପଡିଲା । ଆଉ ତା ପରେ ଦୀର୍ଘ ୨ ବର୍ଷ ହେବ ଘରେ ଏମିତି ଅବସ୍ଥାରେ ଜୀବନ କାଟୁଛନ୍ତି ସିଦ୍ଧାନ୍ତ ।

ସେପଟେ ଘରର ଏକମାତ୍ର ଭରସା ପଙ୍ଗୁ ହୋଇ ପଡିବା ପରେ ଏବେ ପୂରା ପରିବାର ଭାଙ୍ଗି ପଡିଛି । ଖାଲି ସିଦ୍ଧାନ୍ତ ନୁହଁନ୍ତି ତାଙ୍କର ତିନି ତିନିଟି ଭଉଣୀ ବି ଅଛନ୍ତି । ବାପାମାଆ ଦାୟିତ୍ୱ ସହ ୩ ଭଉଣୀଙ୍କ ବାହାଘର ଦାୟିତ୍ୱ ବି ତାଙ୍କ ଉପରେ ଥିଲା । ମାତ୍ର ସେ ପଙ୍ଗୁ ହୋଇଯିବା ପରେ ଏବେ ସେମାନଙ୍କ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଛନ୍ତି ସିଦ୍ଧାନ୍ତ । ତେବେ ଦୁଃଖ କଷ୍ଟରେ ପୂରା ପରିବାର ଚଳୁଥିଲେ ବି ଏଯାଏଁ ନା ସିଦ୍ଧାନ୍ତଙ୍କୁ କୌଣସି ଭତ୍ତା ମିଳୁଛି ନା ପରିବାରକୁ କୌଣସି ଯୋଜନାରେ ସହାୟତା ।