ନୂଆବର୍ଷରେ ଶୀମନ୍ଦିରରେ ପ୍ରବଳ ଭିଡ : ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର; ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

93

କନକ ବ୍ୟୁରୋ : ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବାକୁ ପୁରୀରେ ଭକ୍ତଙ୍କ ଭିଡ । ଶ୍ରୀକ୍ଷେତ୍ରରେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରର ଅସ୍ଥାୟୀ ସେଡ୍କୁ ମାର୍କେଟ ଛକ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଏଥିପାଇଁ ୨୦ ଫୁଟ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍ କରାଯାଇଛି । ଛାୟାସେଡରେ ଏଲଇଡି ଲଗାଇ ଭକ୍ତଙ୍କ ଜାଣିବା ପାଇଁ ନୀତିକାନ୍ତି ବାବଦରେ ସୂଚନା ଦେବା ବ୍ୟବସ୍ଥା ହୋଇଛି ।

ଭିଡ ନିୟନ୍ତ୍ରଣ ପାଇଁ ଆଜିଠୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକରୁ ଶ୍ରୀନହର ଯାଏଁ ଉଠାଦୋକାନ ଓ ଅନ୍ୟ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ମାର୍କେଟ ଛକ ଓ ମରିଚକୋଟ ଛକ ପାଶ୍ୱର୍ରେ ଯୋତା ଷ୍ଟାଣ୍ଡ ରହିବ ଓ ସେଡରେ ପାଣି ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ବର୍ଷରେ ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି ।

ଏଥିରେ ପୁରୀ ସହରର ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତାଲବଣିଆ ଓ ଷ୍ଟର୍ଲିଂ ନିକଟରେ କାର ପାର୍କିଂ, ବଡଶଙ୍ଖ ଠାରୁ ଶରଧାବାଲି ଯାଏଁ ଦୁଇ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି । ସେପଟେ ନୂଆବର୍ଷକୁ ଦୃଷ୍ଟିରେ ରଖି ହୋଟଲ ମାଲିକ ଓ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ହେଲଫ ଲାଇନ ଜାରି କରିଛି ପୁରୀ ପୁଲିସ । ଏଥିସହ ସରକାରଙ୍କ ସମସ୍ତ ନିୟମ ମାନି ଜିରୋ ନାଇଟ ସେଲିବ୍ରେସନ କରିବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।