ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ଜାରିକଲା ଘୋଷଣା ପତ୍ର, ଜାଣନ୍ତୁ କୃଷକ ଓ ଯୁବକମାନଙ୍କ ପାଇଁ କଣ ରହିଛି ପ୍ରତିଶ୍ରୁତି ?

96

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ହିମାଚଳ ବିଧାନସଭା ପାଇଁ ଭୋଟ ପ୍ରକ୍ରିୟା ଜାରି ରହିଥିବା ଆଗକୁ ରହିଛି ଗୁଜରାଟ ନିର୍ବାଚନ । ଏହା ପୂର୍ବରୁ ଆଜି ଜାତୀୟ କଂଗ୍ରେସ ପକ୍ଷରୁ ଗୁଜରାଟ ଲୋକଙ୍କ ପାଇଁ ଏକ ଘୋଷଣାପତ୍ର ଜାରି କରାଯାଇଛି । ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି । ଏଥିରେ ପ୍ରମୁଖ ପ୍ରତିଶ୍ରୁତି ଭାବେ ଦଳ କ୍ଷମତାକୁ ଫେରିଲେ ରାଜ୍ୟର ୧୦ ଲକ୍ଷ ବେକାର ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଏହାସହ କୃଷକମାନଙ୍କ ଉପରେ ମଧ୍ୟ ଫୋକସ କରାଯାଇଛି ।

ଅହମ୍ମଦାବାଦରେ ଆଜି ଅଶୋକ ଗେହଲଟ ଘୋଷଣାପତ୍ର ଜାରି କରି କୃଷକମାନଙ୍କୁ ଋଣ ଛାଡ ଓ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି ରାହୁଲ ଗାନ୍ଧୀ ଯାହା କଥା ଦିଅନ୍ତି ତାହା ପୁରଣ କରନ୍ତି । ରାଜ୍ୟର ୬ ଲକ୍ଷ ଲୋକଙ୍କ ମତକୁ ନେଇ ଏହି ଘୋଷଣାପତ୍ର ପ୍ରସ୍ତୁତ କରାଯାଇଥିବା କଥା ସେ କହିଛନ୍ତି ।

କହିରଖୁ କି ଆସନ୍ତା ମାସ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କଂଗ୍ରେସ ଓ ଏନସିପି ମଧ୍ୟରେ ମେଣ୍ଟ ହୋଇଛି । ଶରଦ ପାୱାରଙ୍କ ପାର୍ଟି ଏନସିପି ଗୁଜରାଟର ୩ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ରାଜ୍ୟରେ ୨ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।