ଗାଁରୁ ଗ୍ଲୋବ ଉତ୍ସାହର ସହ ଅଗ୍ରପୂଜ୍ୟଙ୍କୁ ଆରାଧନା କଲେ ଭକ୍ତ ।

85

କନକ ବ୍ୟୁରୋ : ବେଶ ଉତ୍ସାହର ସହ ଗାଁରୁ ଗ୍ଲୋବ ପାଳିତ ହୋଇଛି ଗଣେଶ ପୂଜା । ଦେଶ ସମେତ ବିଦେଶର ମଧ୍ୟ ବିଘ୍ନନାଶକଙ୍କ ଆରାଧନା କରିଛନ୍ତି ଲୋକେ । ଆଉ ଏହି କ୍ରମରେ ସାଉଦି ଆରବରେ ପାଳିତ ହୋଇଛି ଗଣେଶ ପୂଜା । ସାଉଦି ଆରବର ଜୁବେଲ ସିଟିରେ ପ୍ରବାସୀ ଓଡ଼ିଆ ମାନେ ଗଣେଶ ପୂଜା ପାରମ୍ପରିକ ରୀତିରେ ପାଳନ କରିଛନ୍ତି । ମନ୍ତ୍ର ପାଠ,ହୁଳହୁଳି ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଥିଲା ବିଦେଶ ମାଟି । ସେହିଭଳି ବିଦେଶରେ ଥିଲେ ମଧ୍ୟ ଖଡି ଛୁଆଁ ପରମ୍ପରାକୁ ଭୁଲିନାହାନ୍ତି ପ୍ରବାସୀ ଓଡ଼ିଆ । ଗଣେଶ ପୂଜାରେ କୁନି କୁନି ପିଲାଙ୍କୁ ଖଡି ଛୁଆଁଇ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ ବାପା-ମା । କେବଳ ସାଉଦି ଆରବ ନୁହେଁ ବରଂ ଦୁବାଇ, ବାହାରିନ, ଇଣ୍ଡୋନେସିଆ, ନେପାଳରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି ।

ସେହିଭଳି ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ବେଶ ଉତ୍ସାହର ଅଗ୍ରପୂଜ୍ୟଙ୍କ ଆରଧନା କରିଛନ୍ତି ଗାଁ ଗହଳିର ଲୋକେ । ଓଡ଼ିଶାର ପୁରପଲ୍ଲୀରେ ସିଦ୍ଧି ବିନାୟକଙ୍କ ପୂଜା ବେଶ ଧୂମଧାମରେ କରାଯାଇଛି । ମାଲକାନଗିରିରୁ ମୟୂରଭଞ୍ଜ, କେନ୍ଦ୍ରାପଡାରୁ କଳାହାଣ୍ଡି ବେଶ ଧୂମଧାମରେ ପାଳିତ ହୋଇଛି ଗଣେଶ ପୂଜା । ପୁରୀ ନିମାପଡା ବ୍ଲକର ଆମପୋର ଗାଁର ବାବା ବାସୁଦେବ ୟୁଥ୍ କ୍ଲବ ପକ୍ଷରୁ ମଧ୍ୟ ବେଶ ଜାକଜମକରେ ପାଳିତ ହୋଇଛି ଗଣେଶ ପୂଜା । ପୂଜା କମିଟିର ସଦସ୍ୟ ମାନେ ବେଶ ଉତ୍ସାହର ସହ ପ୍ରଭୁ ଗଣେଶଙ୍କୁ ଆରଧନା କରିଛନ୍ତି । ସେହିଭଳି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ବଳଦେବନଗର ଯୁବକ ସଂଘ ପକ୍ଷରୁ ମଧ୍ୟ ଗଣେଶ ପୂଜାକୁ ବେଶ ଉତ୍ସାହର ପାଳନ କରାଯାଇଛି ।