ଗାଁରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ପଖାଳ ସହ ବାଡ଼ି ଶାଗଭଜା । ପରିବାର ସହ ମିଶି କରିବେ ଭୋଜନ ।

496

କନକ ବ୍ୟୁରୋ: ଆଜି ନିଜ ଗାଁ ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ । ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବେ ମୋହନ । ପରିବାର ସହ ମଧ୍ୟାହ୍ନ ଭୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଘର ଲୋକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତି କରାଯାଇଛି । ପଖାଳ ସାଙ୍ଗକୁ ବାଡ଼ି ଶାଗଭଜା, ଝୁଡ଼ଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରୀ ଭଜା, ଆଳୁ ଭର୍ତା ଓ ବାଇଗଣ ଭର୍ତା ପ୍ରସ୍ତୁତ କରାଯାଇଛି । ଘର ସମ୍ମୁଖ ଝୋଟି ଚିତାରେ ସଜେଇ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସି ଅଛନ୍ତି ତାଙ୍କ ଗ୍ରାମବାସୀ ।

ଆଜିର ଗସ୍ତକୁ ନେଇ ସମସ୍ତଙ୍କ ମନରେ ରହିଛି ନୂଆ ଉତ୍ସାହ । ରବିବାର କେନ୍ଦୁଝର ଗସ୍ତରେ ତାରିଣୀଙ୍କ ପୀଠ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।