ସ୍ୱାଧୀନ ଭାରତରେ ପ୍ରଥମଥର: ଲୋକସଭା ବାଚସ୍ପତି ନିର୍ବାଚନ

599

କନକ ବ୍ୟୁରୋ: ତୁଟିଲା ପରମ୍ପରା । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବ ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ । ଏଥିପାଇଁ ଉଭୟ ଏନଡିଏ ଓ ବିରୋଧୀ ଇଣ୍ଡି ମେଂଟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କୁ ନେଇ ସହମତି ପ୍ରକାଶ ନପାଇବା ପରେ କାଲି ନିର୍ବାଚନ ହେବାକୁ ଯାଉଛି । ଏନଡିଏରୁ ପୁଣି ଥରେ ଓମ ବିର୍ଲା ପ୍ରାର୍ଥୀ ହୋଇଥିବାବେଳେ ଇଣ୍ଡି ମେଂଟ କେ.ସୁରେଶଙ୍କ ନାମ ଘୋଷଣା କରିଛି ।

ସ୍ୱାଧୀନ ଭାରତରେ ପ୍ରଥମଥର ଲୋକସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । କାରଣ ଏନଡିଏ ପ୍ରାର୍ଥୀ ଭାବେ ପୂର୍ବତନ ବାଚସ୍ପତି ଓମ ବିର୍ଲା ନାମାଙ୍କନ ଦାଖଲ କରିଥିବାବେଳେ, କେ. ସୁରେଶଙ୍କୁ ବିରୋଧୀ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛି ଇଣ୍ଡି ମେଂଟ । ଆଜିଯାଏଁ ଶାସକ-ବିରୋଧୀ ଉଭୟଙ୍କ ସହମତିରେ ଲୋକସଭା ବାଚସ୍ପତି ଚୟନ ହେଉଥିବାରୁ ନିର୍ବାଚନର ଆବଶ୍ୟକତା ପଡିନଥିଲା ।

ଓମ ବିର୍ଲା
– ୨୦୧୯ରେ ସର୍ବସମ୍ମତିରେ ଲୋକସଭା ବାଚସ୍ପତି ହୋଇଥିଲେ
– ପୁଣିଥରେ ତାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଚାହୁଁଛି ବିଜେପି
– ଛାତ୍ର ଜୀବନରୁ ବିଜେପି ସହ ସଂପୃକ୍ତ ଅଛନ୍ତି ଓମ ବିର୍ଲା
– ରାଜସ୍ଥାନ କୋଟା-ବୁନ୍ଦି ଆସନରୁ ଦ୍ୱିତୀୟ ଥର ଲୋକସଭାକୁ ଆସିଛନ୍ତି
– ତିନିଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି

୨୦୧୯ରେ ଓମ ବିର୍ଲାଙ୍କ ଚୟନ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଲୋକସଭା ବାଚସ୍ପତି ରୂପେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାରେ ବିଶେଷ ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଜେପି ଓ ଏହାର ମେଂଟ ସହଯୋଗୀ, ଦ୍ୱିତୀୟଥର ପାଇଁ ଓମ ବିର୍ଲାଙ୍କୁ ବାଚସ୍ପତି ଆସନରେ ବସାଇବାକୁ ଚାହୁଁଥିବାବେଳେ ଏଥିରେ ସହମତି ହୋଇନପାରିବାରୁ କେରଳର କଂଗ୍ରେସ ନେତା କେ. ସୁରେଶଙ୍କୁ ମୈଦାନକୁ ଓହ୍ଲାଇଛି ଇଣ୍ଡି ମେଂଟ ।

କେ. ସୁରେଶ
– ପ୍ରୋଟେମ ସ୍ପିକର ପାଇଁ କେ. ସୁରେଶଙ୍କ ନାଁ ଜୋରଦାର ଚର୍ଚ୍ଚା ହେଉଥିଲା
– କେରଳ ମାବେଲିକ୍କରା ଆସନରୁ ଅଷ୍ଟମଥର ପାଇଁ ଲୋକସଭାକୁ ନିର୍ବାଚିତ
– କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି- ସିଡବ୍ଲୁସିର ଅତିଥି ସଦସ୍ୟ
– ପୂର୍ବରୁ କେରଳ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ତୁଲାଇଛନ୍ତି
– ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସଂପାଦକ ମଧ୍ୟ ରହିସାରିଛନ୍ତି

ପ୍ରତିଥର ସହମତିରେ ବାଚସ୍ପତି ନିର୍ବାଚନ ହେଉଥିବାବେଳେ ଏଥର କାହିଁକି ନିର୍ବାଚନ ଆବଶ୍ୟକ ପଡିଲା? କୁହାଯାଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଥିଲେ କଂଗ୍ରେସ ନେତା କେସି ବେଣୁଗୋପାଳ ଓ ଡିଏମକେ ନେତା ଟିଆର ବାଲୁ । ଲୋକସଭା ଉପବାଚସ୍ପତି ପଦ, ବିରୋଧୀଙ୍କୁ ଛାଡି ଦେବାପାଇଁ ଦାବି କରିଥିଲେ । ସେ ଏଥିରେ ରାଜି ନହେବାରୁ ଏନଡିଏ ବିରୋଧରେ ପ୍ରାର୍ଥୀ ଦେବାକୁ ଚୂଡାନ୍ତ କଲେ । ବିଜେପି ଏଥର ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିବାରୁ ମେଂଟ ସହଯୋଗୀ ଚାହିଁଲେ ଲୋକସଭା ବାଚସ୍ପତି ନିର୍ବାଚନ ଜିତିପାରିବେ ଓମ ବିର୍ଲା ।