ଆଜି ଶ୍ରାବଣ ପ୍ରଥମ ସୋମବାର : ଜଳଲାଗି ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

120

କନକ ବ୍ୟୁରୋ : ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଦୁଇ ବର୍ଷ ପରେ ଶୁଭିଲା ବୋଲ୍ ବମ୍, ହର ହର ବମ୍ ଧ୍ୱନି । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଆଠଗଡ ଧବଳେଶ୍ୱର ଆଦି ଶୈବ ପୀଠରେ ଭକ୍ତ ଜଳଲାଗି କରୁଛନ୍ତି । ପ୍ରଥମ ସୋମବାର ହୋଇଥିଲେ ସୁଦ୍ଧା ସଂକ୍ରମଣ ବଢୁଥିବାରୁ କାଳେ କଟକଣା ଲାଗୁ ହୋଇଯିବ ଆଶଙ୍କା କରି ଘାଟରୁ ପାଣି ଉଠାଇଛନ୍ତି ଅନେକ କାଉଡିଆ । ତେବେ କରୋନା ସଂକ୍ରମଣର ଭୟ ଥିବାରୁ ମାସ୍କ ପିନ୍ଧି ଭକ୍ତଙ୍କୁ ଭିତରକୁ ଯିବାକୁ ଅନୁମତି ରହିଛି ।

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ବୋଲବମ୍ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାକ୍ ପ୍ରସ୍ତୁତି କରାଯାଇଛି । ହଜାର ହଜାର ଭକ୍ତ ଜଳାଭିଷେକ ପାଇଁ ଆସୁଥିବାରୁ ରାସ୍ତାରେ ଯେପରି କୌଣସି ପ୍ରକାର ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଚଳିତ ଶ୍ରାବଣ ମାସରେ ପଡ଼ୁଥିବା ୪ଟି ସୋମବାରକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ ଜଣେ ଅତିରିକ୍ତ ଡିସିପି, ୫ଜଣ ଏସିପି, ୮ଜଣ ଇନ୍ସପେକ୍ଟର, ୪୩ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୬ପ୍ଲାଟୁନ ଫୋର୍ସ ଏବଂ ୫୦ଜଣ ହୋମଗାର୍ଡଙ୍କୁ ମୁତୟନ କରଯାଇଛି । ଏହାବାଦ୍ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।