ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଇଡି ଜେରା । ଅର୍ଚ୍ଚନା ନାଗଫାଶର ଆର୍ଥିକ ନେଣ ଦେଣକୁ ନେଇ ଖୋଲିପାରେ ଗୁମର

170

କନକ ବ୍ୟୁରୋ: ଅର୍ଚ୍ଚନା ନାଗଙ୍କ ନାଗଫାଶରେ ପଡିଥିବା ଆଉ ଜଣେ ଫିଲ୍ମ ପ୍ରଯୋଜକ ଆଜି ଇଡିରେ ହାଜର ହୋଇଛନ୍ତି । ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଦୀର୍ଘ ସମୟ ହେଲା ପଚରାଉଚୁରା କରୁଛନ୍ତି ଇଡି ଅଧିକାରୀ । ହାଜର ହେବାକୁ ଯିବା ସମୟରେ ପ୍ରମୋଦ ଯାହା କହିଛନ୍ତି ତାହା ଅର୍ଚ୍ଚନାଙ୍କ ନାଗଫାଶର ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି । ଏଥିସହ ସାମନାକୁ ଆସିଛି ଅର୍ଚ୍ଚନା ଓ ପ୍ରମୋଦ ପରସ୍ପର ବିରୋଧରେ କେମିତି ଦେଇଥିଲେ ଏତଲା?

  • ପ୍ରଯୋଜକଙ୍କ ବେକରେ ନାଗଫାଶ
  • ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ

ବ୍ଲାକମେଲ କୁଇନ୍ ଅର୍ଚ୍ଚନାଙ୍କ ନାଗଫାଶରେ ପଡିଥିବା ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ ଇଡିରେ ହାଜର ହୋଇଛନ୍ତି । ଇଡିରୁ ସମନ ପାଇବା ପରେ ହାଜର ହୋଇଛନ୍ତିି ପ୍ରମୋଦ । ଇଡିରେ ହାଜର ହେବାକୁ ଯିବା ସମୟରେ ସେ ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ଅର୍ଚ୍ଚନାଙ୍କ ନାଗଫାଶର ଗୁମରକୁ ପଦାରେ ପକାଇଛି । ପ୍ରମୋଦ କହିଛନ୍ତି, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରୁଥିଲେ ।

  • ‘ବ୍ଲାକମେଲ କରୁଥିଲେ ଅର୍ଚ୍ଚନା’
  • ଗୁମର ଖୋଲିବେ ପ୍ରମୋଦ?

ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହାପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ । ପ୍ରମୋଦ ସ୍ୱାଇଁ ପେସାରେ ଜଣେ ଫିଲ୍ମ ପ୍ରଯୋଜକ ସହିତ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇବା ପରେ ସମନ କରିଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟମୂଳକ ଥିଲା ତାହାର ତଦନ୍ତ କରୁଛି ଇଡି ।

ଏସବୁ ଭିତରେ ସାମନାକୁ ଆସିଛି ୨୦୧୭ ମସିହାର ପ୍ରମୋଦଙ୍କ ବିରୋଧରେ ଅର୍ଚ୍ଚନା ଦେଇଥିବା ଏଫଆଇଆର କପି । ଏହି ଏଫଆଇଆର କପି ୨୦୧୭ରେ ପ୍ରମୋଦଙ୍କ ବିରୋଧରେ ଦେଇଥିଲେ ଅର୍ଚ୍ଚନା । ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ, ପ୍ରମୋଦ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଲୋଭ ଦେଖାଇଥିଲେ । ମାସିକ ଦରମା ସହ ଘର ଦେବାକୁ କହିଥିଲେ । ତାପରେ ସୁଯୋଗ ଦେଖି ତାଙ୍କ ବାସଭବନରେ ଚା’ରେ କିଛି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ ଫଟୋ ଓ ଭିଡିଓ କରିଥିଲେ । ଯାହାକୁ ଦେଖାଇ ବାରମ୍ବାର ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏପରିକି ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ତେବେ ଅର୍ଚ୍ଚନା ଥାନାରେ ଅଭିଯୋଗ କରିବା ପୂର୍ବରୁ, ଭଡା ଦେଉନଥିବା ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ପ୍ରମୋଦ ।

ଏବେ ପ୍ରଶ୍ନ ଉଠଛି ପ୍ରମୋଦଙ୍କ ସହ ଅର୍ଚ୍ଚନାଙ୍କ ବିବାଦ ପରେ ଶ୍ରଦ୍ଧାଞ୍ଜଳି ଆସି ପୁଣି ସେହି ଘରେ ରହିଲେ କେମିତି? ଶ୍ରଦ୍ଧାଞ୍ଜଳିଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ବଢ଼ିବା କଥା ଜାଣି ଥିଲେ କି ନାହିଁ ପ୍ରମୋଦ? ସେ ଅର୍ଚ୍ଚନାଙ୍କୁ କାହିଁକି ଦେଇଥିଲେ ଟଙ୍କା?