ପୋଟଳ ଚାଷରୁ ଭଲ ରୋଜଗାର: ୨ ଏକର ଜମିରେ ପୋଟଳ ଚାଷ କରି ୭ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦରଗଡ଼ର ଚାଷୀ

205

କନକ ବ୍ୟୁରୋ: ଚାଷ କାମ ତାହା ପୁଣି ପରିବା ଏହିଭଳି କିଛି କହିଲେ ଆଜି ର ଯୁବ ପୀଢି ପଛଘୁଚାଂ ଦେଉଛନ୍ତି । ହେଲେ ଏହି ଚାଷ କାମ ତାହା ପୁଣି ପୋଟଳ ରୁ ବାର୍ଷିକ ଆୟ ୭ରୁ୮ ଲକ୍ଷ ଏହା କହିଲେ କେହି ମଧ୍ୟ ବିଶ୍ୱାସ ସହଜରେ କରିବେ ନାହିଁ । ହେଲେ ଏହିଭଳି ଚାଷ କରି ଆଜି ଲକ୍ଷପତି ଚାଷୀ ହୋଇପାରିଛନ୍ତି ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଧୂଡି ନୂଆଗାଁ ର ଚାଷୀ ମନୋଜ କୁମାର ସା । ଖାଲି ପୋଟଳ ନୁହେଁ ତା ସହିତ ଆଖୁ , ଅନ୍ୟାନ୍ୟ ପନିପରିବା ଓ ୧୫ ଏକର ଜମି ରେ ଧାନ ଚାଷ କରି ବାର୍ଷିକ ସର୍ବମୋଟ ଆୟ କରୁଛନ୍ତି ୧୫ଲକ୍ଷ ରୁ ଅଧିକ । ଏହିଭଳି ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଆହୁରି ୫ଜଣ ପରିବାର କୁ ରୋଜଗାର ଦେବା ରେ ସଫଳ ହୋଇପାରିଛନ୍ତି ଏହି ଚାଷୀ ଜଣକ ।

ବିସ୍ତୀର୍ଣ୍ଣ ଚାଷ ଜମି । ଆଖି ଯେତବାଟ ଯାଏଁ ଯାଉଛି ଚାରିଆଡ଼େ ସବୁଜିମା ପରିବେଶ । ବାଉଁଶ ବାଡ଼ରେ ମାଡିଥିିବା ଲତାରେ ଝୁଲୁଛି ସବୁଜ ରଙ୍ଗର ପୋଟଳ । ଯିଏ ବି ଏହି ଦୃଶ୍ୟକୁ ଦେଖିବ ଆଖି ଲାଖିଯିବ । ଚାଷ ଜମିରେ ହୋଇଥିବ ଚାଷୀର ସୁନାର ଫସଲ ଦେଖିଲେ ମନ ଆନନ୍ଦରେ ନାଚି ଉଠିବ । ଏହି ଚାଷ କରୁଥିବା ଚାଷୀ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଧୂଡିନୂଆଗାଁର ସଫଳ ଚାଷୀ ମନୋଜ କୁମାର ସା । ପୂର୍ବରୁ ଏହି ଜମିରେ ତାଙ୍କ ବାପା କପା ଓ ସୋୟାବିନ ଚାଷ କରୁଥିଲେ । ହେଲେ ଖର୍ଚ୍ଚ ଅନୁସାରେ ଲାଭ ସେତିକି ମିଳୁନଥିଲା । ପରିବାର ଚଳାଇବା ମଧ୍ୟ କଷ୍ଟ ହୋଇପଡୁଥିଲା । ହେଲେ ଏହି ସବୁ ପାରିପାଶ୍ୱୀର୍କ ସ୍ଥିତିକୁ ନଜରରେ ରଖି ମନୋଜ ତାଙ୍କର ସମସ୍ତ ଜମିରେ ନିଜେ ଉନ୍ନତ କୌଶଳରେ ଚାଷ କରିବା ପାଇଁ ମନସ୍ଥ କରିଥିଲେ । ଆଉ ପୋଟଳ ଚାଷ କରିବା ପାଇଁ ସ୍ଥିର କରିଥିଲେ । ବଜାରରେ ପୋଟଳ ଦର ବେଶ ଅଧିକ ରହୁଥିବା ବେଳେ ଏହି ଚାଷ କରି ସେ ବେଶ ଭଲ ରୋଜଗାର କରୁଛନ୍ତି ।

ସବୁଠାରୁ ବଡ କଥା ହେଉଛି ଏହି ଚାଷ ବର୍ଷର ୮ ମାସ ପର୍ଯ୍ୟନ୍ତ ଚାଲିଥାଏ । ଏଥିପାଇଁଁ ନିଜର ୨ ଏକର ଜମି ପ୍ରସ୍ତୁତ କରିଥିଲେ । ପୋଟଳ କନ୍ଦା କରିବା ସହ ପୁରୁଣା ପଦ୍ଧତିରେ ଚାଷ ନକରି ୟୁଟ୍ୟୁବ ଦେଖି ନୁତନ ପ୍ରାଣାଳୀ ଚାଷ ଆରମ୍ଭ କରିଥିଲେ । ନୂଆ ପ୍ରଣାଳୀରେ ବାଉଁଶ ପୋତି ସେଥିରେ ନେଟ୍ ବାନ୍ଧି ସେଥିରେ ଚାଷ କରୁଛନ୍ତି । ଯେଉଁଥିରେ ଲତା ଖୁବ ସୁନ୍ଦର ଭାବରେ ବଢି ପାରିବା ସହିତ ଅମଳ ମଧ୍ୟ ଭଲ ହେଉଛି । ଏହି ଚାଷ ସାଧାରଣତଃ ଏପ୍ରିଲରୁ ଆରମ୍ଭ ହୋଇ ନଭେମ୍ବର ପର୍ଯ୍ୟନ୍ତ ଚାଲିଥାଏ । ମନୋଜ ତାଙ୍କର ଦୁଇ ଏକର ଚାଷ ଜମିରେ ପୋଟଳ ଚାଷ କରି ବାର୍ଷିକ ୭ରୁ୮ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ସହ ଆଖୁ ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରୁଛନ୍ତି । ଆଗରୁ ସେ ୧୫ ଏକର ଜମିରେ ଧାନ ଚାଷ କରୁଥିଲେ । ଚଳିତ ବର୍ଷ ୪୦ ଏକର ଜମିରେ ଧାନ ଚାଷ କରିବା ପାଇଁ ମନସ୍ଥ କରିଛନ୍ତି । କେବଳ ପୋଟଳରୁ ୭ ରୁ ୮ ଲକ୍ଷ ଟଙ୍କା ଆୟ କରୁଥିବା ବେଳେ ଆଖୁ, ଧାନ ଓ ପନିପରିବାରୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ ଅଚଂଳର ୫ଟି ପରିବାରକୁ ବି ରୋଜଗାର ଦେଉଛନ୍ତି ।

ଆଦିବାସୀ ବହୂଳ ସୁନ୍ଦରଗଡ ଜିଲ୍ଲାର ଅପହଚଂ ଅଂଚଳ କୁହାଯାଉଥିବା ବାଲିଶଙ୍କରା ବ୍ଲକର ଅଖ୍ୟାତ ପଲ୍ଲୀ ଧୂଡିନୂଆଗାଁ । ଏହି ଗାଁର ଚାଷୀ ମନୋଜ ସା କେବଳ ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି ତାହା ନୁହେଁ ବରଂ ଆଜିକାର ଯୁବପୀଢି ପାଇଁ ସେ ଉଦାହରଣ ପାଲଟିଛନ୍ତି ।