ଆକ୍ସନ ମୋଡରେ ପ୍ରବର୍ତନ ନିର୍ଦ୍ଦେଶାଳୟ, ନିଲମ୍ବିତ ଆଇଏଏସ ପୂଜା ସିଙ୍ଘଲଙ୍କର ୮୨ କୋଟିର ସମ୍ପତ୍ତି ଜବତ

583

କନକ ବ୍ୟୁରୋ : ମନରେଗା ସହିତ ଜଡିତ ଦୁର୍ନୀତିରେ ସାମିଲ ଥିବା ଆଇଏଏସ ପୂଜା ସିଙ୍ଘଲଙ୍କର ୮୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ତରଫରୁ ଝାଡଖଣ୍ଡ ରାଞ୍ଚିରେ ଥିବା ପୂଜାଙ୍କର ୮୨.୭୭ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଏହି ସମ୍ପତ୍ତି ମଧ୍ୟରେ ରହିଛି ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଗୋଟିଏ ଡାଇଗ୍ନୋଷ୍ଟିକ ସେଣ୍ଟର ଓ ଦୁଇଟି ପ୍ଲଟ । ଏହାସହ ପୂଜା ଓ ତାଙ୍କ ସ୍ୱାମୀଙ୍କର ବ୍ୟାଙ୍କ ଆକାଉଣ୍ଟ ।

ସୂଚନା ଥାଉକି ଝାଡଖଣ୍ଡର ଆଇଏଏସ ପୂଜା ସିଙ୍ଘଲ ମନରେଗା ଦୁର୍ନୀତିରେ ପଡିବା ପରେ ଇଡି ତରଫରୁ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି । ଦୁର୍ନୀତି ସମୟରେ ପୂଜା ଝାଡଖଣ୍ଡ ସରକାରଙ୍କ ମନରେଗା ଯୋଜନାର ଡେପୁଟି କମିଶନର ଥିଲେ । ପୂଜାଙ୍କ ନାମରେ ଅଭିଯୋଗ ରହିଛି କି ସେ ବିନା କାମରେ ମନରେଗା ଯୋଜନାର ଅର୍ଥ ହଡପ କରିଛନ୍ତି । ପ୍ରଥମେ ରାଜ୍ୟ ସରକାର ଏହି ଦୁର୍ନୀତି ଉପରେ ଯାଂଚ କରି ପୂଜା ସିଙ୍ଘଲଙ୍କୁ କ୍ଲିନଚିଟ୍ ଦେଇଥିଲେ । ପୂଜା ସିଙ୍ଘଲଙ୍କୁ କ୍ଲିନଚିଟ୍ ଦିଆଯିବା ବେଳେ ଝାଡଖଣ୍ଡରେ ବିଜେପିର ସରକାର ଥିଲା ଓ ରଘୁବର ଦାସ ମୁଖ୍ୟମନ୍ତ୍ରୀ ଥିଲେ ।

 

ଇଡିର ଯାଂଚ ବେଳେ ପୂଜା ସିଙ୍ଘଲଙ୍କ ନିକଟରେ ଆୟବର୍ହିଭୂତ ସମ୍ପତ୍ତି ଥିବା ଜଣାପଡିଥିଲା । ଏହାପରେ ଚଳିତ ବର୍ଷ ମେ, ମାସ ୬ ତାରିଖରେ ଇଡି ତରଫରୁ ପୂଜା ସିଙ୍ଘଲ ଓ ତାଙ୍କ ସହଯୋଗୀଙ୍କର ୨୫ ଟି ଠିକଣାରେ ଚଢାଉ କରାଯାଇଥିଲା । ଏହି ମାମଲାରେ ମେ, ୧୧ ତାରିଖରେ ପୂଜାଙ୍କୁ ଗିରଫ କରାଯାଇଥିଲା ।