ଶ୍ରାବଣରେ ଶୁଖିଲା ପଡ଼ିଛି ଚାଷ ଜମି: ଖୋର୍ଦ୍ଧାରେ ପାଣି ଅଭାବରୁ କ୍ଷେତ ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ

74

କନକ ବ୍ୟୁରୋ: ଅକ୍ଷୟ ତୃତୀୟା ଠାରୁ ଅଖିମୁଠି ଅନୁକୂଳ ପରେ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ମାସ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ଖେଳ ଭିତରେ ଚାଷୀ ଦୁଇ ଦୁଇଥର ଧାନ ବୁଣି ନିରାଶ ହେଲାଣି । ବର୍ଷା ନହେବା କାରଣରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଅ, ଜଟଣୀ ଓ ଖୋର୍ଦ୍ଧା ବ୍ଲକର । ଶତକଡ଼ା ୮୦ ଭାଗ ଜମିରେ ବର୍ଷା ଅଭାବରୁ ଧାନ ବୁଣା କାମ ହୋଇପାରିନଥିବାରୁ ତଳିବୁଣା କାମ ମଧ୍ୟ ଠପ ହୋଇଯାଇଛି ।

ସେହିପରି ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଳକରେ ଶହ ଶହ ହେକ୍ଟର ଜମି ପାଣି ଅଭାବରୁ ଶୁଖିଲା ପଡ଼ିଛି । ତଳି ଘରା ଖରାରେ ପୋଡି ନଷ୍ଟ ହୋଇଗଲାଣି । ଗୋଟିଏ ପଟେ ବର୍ଷାର ଦେଖା ନାହିଁ, ଅନ୍ୟପଟେ ପ୍ରଚଣ୍ଡ ଖରା ଯୋଗ୍ୁଁ ନାଗାବଳି ନଦୀ ଶୁଖିଲା ପଡ଼ିଛି । ଗତ ମାସର ସାମାନ୍ୟ ବର୍ଷା ହୋଇଥିବା ବେଳେ ଚାଷୀ ମାନେ କ୍ଷେତରେ ହଳ କରି ତଳି ପାଇଁ ଧାନ ବୁଣିଥିଲେ । ହେଲେ ଖରା ଯୋଗୁଁ ସେତକ ମଧ୍ୟ ପୋଡ଼ି ନଷ୍ଟ ହୋଇଗଲାଣି । ପାଣି ଅଭାବରୁ କ୍ଷେତ ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଜିଲ୍ଲାରେ ୧ ଲକ୍ଷ ୮୨ ହଜାର ୬୦୪ ହେକ୍ଟର ଚାଷ ଜମି ରହିଥିବା ବେଳେ ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ସେହିପରି ୪୮ ହଜାର ହେକ୍ଟର ଚାଷ ଜମିରେ କପା, ୨୦ ହଜାର ହେକ୍ଟର ଜମିରେ ମାଣ୍ଡିଆ, ୧୫ ହଜାର ହେକ୍ଟର ଜମିରେ ମକା ଓ ବଳକା ଜମିରେ ବିଭିନ୍ନ ଡାଲି ଜାତୀୟ ଶସ୍ୟ ଓ ପନିପରିବା ଉତ୍ପାଦନ ହୋଇଥାଏ । ସେହିପରି ଜିଲ୍ଲାରେ ୭୦ ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ବ୍ୟବସ୍ଥା ରହିଥିବା ବେଳେ ବଳକା ୧ ଲକ୍ଷ ୧୨ ହଜାର ୬୦୦ ହେକ୍ଟର ଚାଷ ଜମି ଅଣଜଳସେଚିତ ଅବସ୍ଥାରେ ରହିଛି ।