ଟାୟାରର ରଙ୍ଗ କଳା କାହିଁକି? ଏହା ପଛରେ ରହିଛି ବଡ କାରଣ

433

କନକ ବ୍ୟୁରୋ : ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି । ସବୁ ଗାଡିରେ ଟାୟାର ଲଗାଯାଇଥାଏ । କେବଳ ଗାଡି କାହିଁକି ପ୍ଲେନରେ ମଧ୍ୟ ଟାୟାର ଲଗାଯାଇଥାଏ । ଗାଡି ଯେଉଁ ରଙ୍ଗର ହେଉନା କାହିଁକି, ତାର ଟାୟାର ସବୁବେଳେ କଳା ରଙ୍ଗର ରହିଥାଏ । କିନ୍ତୁ କେବେ ଭାବିଛନ୍ତି କି, ଗାଡି ଟାୟାରର ରଙ୍ଗ କାହିଁକି କଳା ହୋଇଥାଏ ? ଆସନ୍ତୁ ଜାଣିବା…
୧୯୧୭ ମସିହା ପୂର୍ବରୁ ସବୁ ଗାଡିର ଟାୟାରର ରଙ୍ଗ ଧଳା ରହୁଥିଲା । ପରେ ଏହାକୁ ପରିବର୍ତ୍ତନ କରି କଳା ରଙ୍ଗ କରିଦିଆଯାଇଛି । କୁହାଯାଏ ୧୯୧୭ ମସିହା ପୂର୍ବରୁ ସବୁ ଗାଡିର ଟାୟାରକୁ ସୁଦ୍ଧ ରବରରେ ତିଆରି କରାଯାଉଥିଲା । ଯେଉଁଥି ପାଇଁ ଟାୟରର ଓଜନ ପୂରା ହାଲୁକା ରହୁଥିଲା । ଓଜନ ବଢାଇବା ପାଇଁ ଟାୟର ଭିତରେ ଜିଙ୍କ୍ ଏବଂ ଅକ୍ସାଇଡ୍ ବ୍ୟବହାର କରାଯାଉଥିଲା । ତଥାବି ଟାୟାରର ଓଜନ ଖୁବ୍ ହାଲୁକା ରହୁଥିଲା । ତେଣୁ ଟାୟାର ଓଜନ ଏବଂ ଟାୟାରକୁ ଆହୁରି ମଜଭୁତ୍ କରିବା ପାଇଁ ଟାୟାର କମ୍ପାନୀଗୁଡିକ ଏହାର ବିକଳ୍ପ ଖୋଜିଥିଲେ । କାରଣ ସୁଦ୍ଧ ରବରରେ ତିଆରି ହୋଇଥିବା ଟାୟାର ଖରାରେ ଶୀଘ୍ର ନଷ୍ଟ ହୋଇଯାଉଥିଲା । ଟାୟାରରେ ଫାଟ ସୃଷ୍ଟି ହୋଇ ଜଲଦି ଫାଟିଯାଉଥିଲା । ତେଣୁ ଟାୟାରକୁ ମଜଭୁତ୍ କରିବା ପାଇଁ ଟାୟାରରେ କର୍ବନ ବ୍ୟବହାର କରାଗଲା । କାର୍ବନକୁ ଟାୟାରରେ ମିଶାଇବା ଦ୍ୱାରା କାର୍ବନ ସୂର୍ଯ୍ୟର ଅଲ୍ଟ୍ାବାଓଲେଟ୍ ରଶ୍ମୀକୁ ବ୍ଲକ୍ କରଦିଏ । ଟାୟାରରେ ଫାଟ ସୃଷ୍ଟି ହେବାରୁ ରକ୍ଷା କରିଥାଏ । ଯାହାଦ୍ୱାରା ଟାୟାରର ଆୟୁସ ବଢିଯାଇଥାଏ । ଏହାସହିତ ରାସ୍ତାରେ ଚାଲିଲା ବେଳେ ଟାୟାର ଫାଟିଯିବାର ଭୟ କମ୍ ହୋଇଯାଇଥାଏ । ସବୁଠୁ ବଡକଥା ହେଉଛି ଟାୟାରରେ କାର୍ବନର ମିଶ୍ରଣ କାରଣରୁ ହିଁ ଟାୟାରର ରଙ୍ଗ କଳା ହୋଇଥାଏ ।