ସାରା ରାଜ୍ୟକୁ ଦୋହଲାଇ ଦେଲା ଦିଗପହଣ୍ଡି ଦୁର୍ଘଟଣା : ଲୁହରେ ଭିଜିଲା ବାହାଘର ଖୁସି

805

କନକ ବ୍ୟୁରୋ : ବିବାହ ଉତ୍ସବ ସାରି ଫେରୁଥିବାବେଳେ ରାସ୍ତାରେ ଜଗିଥିଲା ମୃତ୍ୟୁ । ଆଉ ଅଳ୍ପ ସମୟ ମଧ୍ୟରେ ଖୁସି କୁଆଡେ ଉଭେଇଗଲା, ମାଡି ଆସିଲା ଦୁଃଖର କଳାବାଦଲ । ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା ଓଏସଆରଟିସି ବସ ସହ କନ୍ୟାକୁ ଛାଡି ବ୍ରହ୍ମପୁରରୁ ଫେରୁଥିବା ମିନି ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇଥିଲେ । ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଗୁରୁତରଙ୍କୁ ଏସସିବି ଓ ଏମ୍ସ ଅଣାଯାଇଥିଲା । ହସ୍ପିଟାଲରେ ଆହୁରି ୫ ଜଣ ଆଖି ବୁଜିବା ପରେ ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି । ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୩ ଲକ୍ଷ ଲେଖାଁଏ ଓ କେନ୍ଦ୍ର ସରକାର ୨ ଲକ୍ଷ ଲେଖାଁଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।

ସୂଚନାନୁସାରେ, ସାନଖେମୁଣ୍ଡି ବ୍ଲକ୍‌ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ମଝିଆ ଝିଅ ସୋନାଲିଙ୍କ ବାହାଘର ବ୍ରହ୍ମପୁର ବ୍ୟାଙ୍କ୍ କଲୋନି ବାପୁଜୀନଗରରେ ରହୁଥିବା ଉମେଶ ପ୍ରଧାନଙ୍କ ସହ ସ୍ଥିର ହୋଇଥିଲା । ପୂର୍ବ ଧାର୍ଯ୍ୟ ତାରିଖ ଅନୁସାରେ ଗତକାଲି ସକାଳେ ଖଣ୍ଡଦେଉଳି ଗ୍ରାମରେ ବୈଦିକ ରୀତିରେ ବାହାଘର ସମ୍ପୂର୍ଣ୍ଣ ହୋଇଥିଲା । ବାହାଘର ପରେ ସୋନାଲି ଶାଶୂଘରକୁ ବିଦାୟ ନେଇଥିଲେ । ଆଉ ସଂଧ୍ୟାରେ କନ୍ୟାଙ୍କ ପରିବାର ପକ୍ଷରୁ ପ୍ରାୟ ୨୮ଜଣ ସଦସ୍ୟ ଓ ବନ୍ଧୁବାନ୍ଧବ ଏକ ମିନିବସ୍‌ରେ ବ୍ରହ୍ମପୁର ବରଘରକୁ ଆସିଥିଲେ। ବରଘର ପକ୍ଷରୁ ହାତୀବନ୍ଧ ସାହିସ୍ଥିତ ଏକ କଲ୍ୟାଣମଣ୍ଡପରେ ଭୋଜିର ଆୟୋଜନ କରାଯାଇଥିଲା । ଭୋଜିରେ ସମସ୍ତେ ହସଖୁସିରେ ସମୟ ବିତାଇଥିଲେ ।

ଭୋଜି ଖାଇସାରି ରାତିରେ ସେହି ମିନିବସ୍‌ରେ ଖଣ୍ଡଦେଉଳି ଅଭିମୁଖେ ବାହାରିଥିଲେ। ଏହିସମୟରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସାମ୍ନାରେ ବିଳମ୍ବିତ ରାତି ପ୍ରାୟ ୧୨ଟା ୫୦ ବେଳକୁ ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଏସ୍‌ଆର୍‌ଟିସି ବସ୍‌ (ଓଡି୦୨ ବିଭି ୧୯୩୮) ମିନିବସ୍‌କୁ ସମ୍ମୁଖ ପଟୁ ଶକ୍ତ ଧକ୍କା ଦେଇଥିଲା । କିଏ କିଛି ଜାଣିବା ଆଗରୁ, ଧକ୍କା ଖାଇ ମିନିବସ୍‌ଟି କିଛିଦୂର ଘୋଷାଡ଼ି ହୋଇ ରାସ୍ତାପାର୍ଶ୍ବକୁ ଓଲଟିପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା, ମିନିବସ୍‌ଟି ପ୍ରଚଣ୍ଡ ଶବ୍ଦ କରି ଓଲଟି ପଡ଼ିଥିଲା । ଆଉ ଏହାର ଗୋଟିଏ ପାର୍ଶ୍ବ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ । ମହିଳା ଓ ଶିଶୁଙ୍କ ସମେତ ଅନ୍ୟମାନେ ବସ୍ ଭିତରେ ଫସି ହୋଇରହିଥିଲେ। ଆର୍ତ୍ତନାଦ ଚିତ୍କାରରେ ପରିବେଶ ଫାଟିପଡ଼ିଥିଲା । ଦିଗପହଣ୍ଡି ପୁଲିସ ସମେତ ବ୍ରହ୍ମପୁର ସଦର ଥାନା ପୁଲିସ, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ୍ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।