କାହଁକି ବାପାକୁ ଛୁରୀ ଭୁଷି ଦେଲା ପୁଅ? ପ୍ରଫେସର ପାଠୁଆ ପୁଅ କାହଁକି ବନିଗଲା ହତ୍ୟାକାରୀ!

2,982

କନକ ବ୍ୟୁରୋ: ଭୁବନେଶ୍ୱରରେ ହାଇପ୍ରୋଫ୍ରାଇଲ ମର୍ଡରକୁ ନେଇ ଚର୍ଚ୍ଚା । ଆଇନର ପାଠ ପଢିଥିବା ପ୍ରଫେସର ପୁଅ ଆଇନକୁ ହାତକୁ ନେଇ ନିଜ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମାଆ ସାମ୍ନାରେ ବାପାକୁ ହତ୍ୟା କରିଛି ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ। ପୁଲିସର କହିବା ଅନୁସାରେ, ଅନିରୁଦ୍ଧ ଋଣ ଟଙ୍କା ସୁଝିବା ପାଇଁ ବାପାଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ଦେବାକୁ ମନା କରିବାରୁ ରାଗିଯାଇ ବାପାଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି । ଜଣେ ପଢୁଆ ପୁଅ ଯେ ଟଙ୍କା ପାଇଁ ନିଜ ବାପାକୁ ଏଭଳି ନୃଶଂସ ଭାବେ ହତ୍ୟା କରିପାରେ, ଏହାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

ସ୍ଥାନ – ଭୁବନେଶ୍ୱର ରଙ୍ଗମାଟିଆ
ଡିଏଚପିଏଲ ଆପାର୍ଟମେଣ୍ଟ ରୁମ ନମ୍ବର ୧୦୮
ସମୟ – ଭୋର ପ୍ରାୟ ୩ଟା ୪୫ ମିନିଟ୍
ବେଡରୁମରେ ଶୋଇଥିଲେ ଘର ମାଲିକ ସୁନୀଲ ଚୌଧୁରୀ ଓ ତାଙ୍କ ପତ୍ନୀ। ଘରେ ଥିଲେ ପ୍ରଫେସର ପୁଅ ଅନିରୁଦ୍ଧ ଚୌଧୁରୀ। ବାପା ମାଆ ଶୋଇଥିବା ଅବସ୍ଥାରେ ପୁଅ ଅନିରୁଦ୍ଧ ଚୌଧୁରୀ ହଠାତ ବେଡରୁମକୁ ଯାଇଥିଲେ। ଅନିରୁଦ୍ଧ ଗୋଟିଏ ହାତରେ ତକିଆ ଆଉ ଗୋଟିଏ ହାତରେ ଥିଲା ଛୁରୀ। କିଛି ବୁଝିବା ଆଗରୁ ବାପାଙ୍କ ମୁହଁକୁ ତକିଆରେ ଶ୍ୱାସରୁଦ୍ଧ କରିବା ପାଇଁ ଚେଷ୍ଟା କରିଥିଲା। ଗୋଟିଏ ହାତରେ ବାପାଙ୍କ ମୁହଁକୁ ଚାପି ଧରିଥିଲା ବେଳେ, ଆଉ ଗୋଟିଏ ହାତରେ ଛୁରୀ ଭୁଷିଥିଲା। ନିଜ ବାପାଙ୍କ ଛାତି ଏବଂ ପେଟକୁ ଛୁରୀ ଭୁଷି ଚାଲିଥାଏ ନିର୍ଦ୍ଦୟ ପୁଅ ଅନିରୁଦ୍ଧ। ଥରେ କି ଦିଥର ନୁହେଁ ବାରମ୍ୱାର ବାପାଙ୍କୁ ଛୁରୀ ଭୁଷି ଚାଲିଥିଲା ଜହ୍ଲାଦ। ରାଗ ଏତେ ଥିଲା ଯେ, ଜୀବନ ନେଲା ଯାଏଁ ବାପାକୁ ଛୁରୀ ଛୁରୀ ଭୁଷି ହତ୍ୟା କରିଥିଲା। ତାହା ପୁଣି ମାଆଙ୍କ ଆଗରେ। ଅସହାୟ ମାଆ ସବୁକିଛି ଦେଖି ହତବାକ ହୋଇ ପଡିଥିଲେ। ପେଟ କାଟି ଜନ୍ମ ଦେଇଥିବା ପୁଅ ଯେତେବେଳେ ବାପାକୁ ହତ୍ୟା କରିପାରେ , ସେ କିଛି ବି କରିପାରେ। କିଛି ଉପାୟ ନପାଇ ଘରେ କାମ କରୁଥିବା କେୟାରଟେକର ଆଲୋକକୁ ଫୋନ କରିଥିଲେ। ରାତି ୩ଟା ୫୮ରୁ କଲ ପାଇ ୪ଟା ବାଜି ୨ ମିନିଟରେ ଘଟଣାସ୍ଥଳରେ ପହଂଚିଥିଲେ ଆଲୋକ। ଘଟଣାସ୍ଥଳରେ ପହଂଚି ଯାହା ଦେଖିଲେ, ତାକୁ ସେ ବିଶ୍ବାସ କରିପାରିନଥିଲେ ।

ଅନିରୁଦ୍ଧ ଚୌଧୁରୀ ଜଣେ ଜଣାଶୁଣା ଟିଭି ଚେହେରା। ସେ ଜଣେ ଲ’ କଲେଜର ପ୍ରଫେସର। କିନ୍ତୁ କାହିଁକି ନିଜ ବାପାଙ୍କୁ ହତ୍ୟା କଲା, ପୁଲିସ ତଦନ୍ତ ବେଳେ ହତ୍ୟାକାଣ୍ଡ ପଛର କାରଣ କହିଛି ଅନିରୁଦ୍ଧ। ପୁଲିସକୁ ଦେଇଥିବା ବୟାନ ଅନୁସାରେ,
୨୭ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍ ନେଇଥିଲା ଅନିରୁଦ୍ଧ
ବିଦେଶ ଗସ୍ତରେ ଯାଇ ସବୁ ଟଙ୍କାକୁ ଉଡ଼ାଇ ଦେଇଥିଲା
ଋଣ ଶୁଝିବାକୁ ବାପାଙ୍କ ଜମି ଜମା ସମ୍ପତି ଓ ଟଙ୍କା ଉପରେ ତା’ର ଲୋଲୁପ ଦୃଷ୍ଟି ପଡିଥିଲା
ଯାହାକୁ ନେଇ ଗତ କିଛିଦିନ ହେବ ବାପାଙ୍କ ଠାରୁ ଟଙ୍କା ନେଇ ପାଟିତୁଣ୍ଡ କଥା କଟାକଟି ହୋଇଥିଲା

ବାପାଙ୍କ ଠାରୁ ଅଲଗା ରହୁଥିଲା ଏହି କୁଳାଙ୍ଗାର ପୁଅକୁ ଟଙ୍କା ଦେବାକୁ ମନା କରିବାରୁ ବାପାଙ୍କୁ କରିଥିଏଲା ଟାର୍ଗେଟ। ରକ୍ତ ଭିଜା ଛୁରୀ ସହ ବାପାର ହତ୍ୟାକାରୀ ପୁଅ ଅଭିଯୁକ୍ତ ଅନିରୁଦ୍ଧକୁ ଗିରଫ କରିଛି ମଂଚେଶ୍ୱର ଥାନା ପୁଲିସ।

ବାପା .. ଏମିତି ଏକ ଶବ୍ଦ ଯାହାଙ୍କ ନାଁ ନ ରହିଲେ ପରିଚୟ ତିଆରି ହୁଏନି। ନିଜ ପିଲାକୁ ମଣିଷ କରିବା ପାଇଁ ଯିଏ ନିଜର ସବୁକିଛି ବାଜିରେ ଲଗାଇ ଦିଅନ୍ତି ସେ ହେଉଛନ୍ତି ବାପା। ପୁଅ ଟିଏ ପାଇବା ପାଇଁ କେତେ ଦିଅଁ କେତେ ଦେବତାଙ୍କୁ ପୂଜା କରିଥାନ୍ତି ବାପାମାଆ। କିନ୍ତୁ ଆଜିର ଏହି ଘଟଣା ପରେ, ନୃଶଂସ, ପିଶାଚ, ସୈତାନ ପୁଅର ଛାତିଥରା କାହାଣୀ ପରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ଟ୍ଟଟ୍ଟ କାହାକୁ ନମିଳୁ ଏମିତି ପୁଅ!