ଓଡିଶାବାସୀଙ୍କୁ ଧର୍ମେନ୍ଦ୍ର ଦେଲେ ବିଜୟର ଶ୍ରେୟ: କଳିଙ୍ଗ ଯୁଦ୍ଧ ଲଢିଥିବା ବୀରଙ୍କୁ କଲେ ସମର୍ପଣ

46

କନକ ବ୍ୟୁରୋ: ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଓଡ଼ିଶାର ବିକାଶର ରୂପରେଖ କଥା କହିଲେ କେନ୍ଦ୍ରମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆସନ୍ତା ୫ ବର୍ଷରେ ଓଡିଶା ପାଇଁ ଆସିବ ୧ ଲକ୍ଷ କୋଟିର ପ୍ରକଳ୍ପ । ସେହିପରି ଧର୍ମେନ୍ଦ୍ର ଓଡ଼ିଆ ଅସ୍ମିତା ଉପରେ ଜୋର ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ସ୍ୱାଭିମାନୀ ହେବା ସହ ନାରୀଙ୍କୁ ସମ୍ମାନ ମିଳିଲେ, ଓଡ଼ିଆ ଅସ୍ମିତା ସୁରକ୍ଷିତ ରହିବ ।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଜେପିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ୩ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ । ଆଉ ଭବିଷ୍ୟତର ରୋଡ ମ୍ୟାପ ଉପରେ କହିଥିଲେ ୩ ମନ୍ତ୍ରୀ ।

ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କିଛି ବିଧାୟକ ଓ ସାଂସଦ ନିର୍ବାଚନ ପାଇଁ ଏଥର ନିର୍ବାଚନ ହୋଇନଥିଲା । ଓଡିଆ ଅସ୍ମିତା ଓ ସ୍ୱାଭିମାନ ପାଇଁ ଏଥର ନିର୍ବାଚନ ହୋଇଥିଲା । ନମ୍ରତା ଓ ପରିଶ୍ରମ ସହ କାମ କରିବାକୁ ପଡିବ । ଏ ସରକାର ଓଡିଆଙ୍କର । ଦଳେ ବିଧାୟକ କି ସାଂସଦଙ୍କ ସରକାର ନୁହେଁ । ୧୦ କୋଟି ଆଖି ଆମକୁ ସବୁବେଳେ ଦେଖୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବର୍ଦ୍ଧନା ସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ପୁରୁଣା ସରକାର ସମୟରେ କାମ ଆଗେଇ ପାରୁନଥିଲା । ବିଜେପି ସରକାର ଓଡିଶାରେ ଆସିଲା, ଓଡିଶାରେ ନୂଆ ରେକର୍ଡ ହେବ । ଆଗାମୀ ୫ ବର୍ଷ ଭିତରେ ଓଡିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ । ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ । ୧୦ ବର୍ଷ ତଳେ ଓଢିଶାକୁ ମାତ୍ର ୮ ଶହ କୋଟି ଟଙ୍କାର ଅନୁଦାନ ଦିଆଯାଉଥିଲା । ଏବେ ପ୍ରତିବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି ।

ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ନିଜର ଅଭିଭାଷଣ ରଖିଥିଲେ । ଆଉ କହିଥିଲେ, ସାମୁହିକ ଭାବେ କାମ କରି କିଛି କଠୋର ନିଷ୍ପତ୍ତି ନେବାକୁ ହେବ । ଜନତା ସବୁ ଜାଣିଛନ୍ତି , ତାଙ୍କୁ ଠକିଲେ ଲୋକ କ୍ଷମା କରିବେନି । ବ୍ୟବହାର ଠିକ ହେବା ଦରକାର , ମନ ଦେଇ କାମ କରିବା ଦରକାର । ଦାୟିତ୍ୱକୁ ଠିକ ଭାବେ କରିବା ଉପରେ ଜୋର ସେ ଜୋର ଦେଇଥିଲେ । ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଦଳୀୟ କର୍ମକର୍ତ୍ତା ସାମିଲ ହୋଇଥିଲେ ।