ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫୫ ପଦକ ସହ ପଞ୍ଚମ ସ୍ଥାନରେ ଭାରତ

149

କନକ ବ୍ୟୁରୋ : କମନୱେଲଥ ଗେମରେ କମାଲ କରିଛି ଭାରତ । ଦଶମ ଦିବସରେ ଭାରତକୁ ମିଳିଛି ଆଉ ୫ ସ୍ୱର୍ଣ୍ଣ ପଦକ । କେବଳ ବକ୍ସିଂରେ ୩ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ବକ୍ସିଂରେ ନିଖତ ଜରିନ୍, ରିତୁ ଘନଘାସ ଓ ଅମିତ ପଂଘଲ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ଟ୍ରିପଲ ଜମ୍ପରେ ମଧ୍ୟ ଏଲଡୋସ୍ ପଲ୍ ହଳଦିଆ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ । ମହିଳା ବକ୍ସିଂର ୫୦ କେଜି ବର୍ଗରେ ନିଖତ କାର୍ଲି ଏମସି ନୌଲଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ।

ସେହିପରି ପୁରୁଷ ବକ୍ସିଂରେ ଅମିତ୍ ୪୮ କେଜି ବର୍ଗରେ ଇଂଲଣ୍ଡର କିଆରନ୍ ମ୍ୟାକଡୋନାଲ୍ଡଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ନିତୁ ମଧ୍ୟ ଇଂଲଣ୍ଡର ପ୍ରତିଦ୍ୱନ୍ଦ୍ୱୀ ଡେମି-ଜେଡ୍ ରେଜସ୍ତାନଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟ୍ରିପଲ ଜମ୍ପର୍ ଏଲଡୋସ୍ ପଲ୍ ୧୭ ଦଶମିକ ୩ ମିଟର୍ ଡିଆଁ ମାରି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଇଭେଂଟରେ ଭାରତର ଅନ୍ୟତମ ଆଥଲେଟ୍ ଅବଦୁଲ୍ଲା ଅବୁବାକର ମାତ୍ର ଦଶମିକ ୧ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି ।

ସେପଟେ ମହିଳା ହକି ଦଳ ମଧ୍ୟ ଭାରତ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ପ୍ରତିଦ୍ୱନ୍ଦୀ ଦଳ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ସେହିପରି ୧୦ହଜାର ମିଟର୍ ଚାଲିରେ ଭାରତୀୟ ଧାବକ ସନ୍ଦୀପ କୁମାର ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି । ଜାଭେଲିନ୍ ଥ୍ରୋ’ରେ ଅନୁ ରାଣୀ ୬୦ ମିଟର୍ ଥ୍ରୋ’ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ ବର୍ତ୍ତମାନ ୧୮ଟି ସ୍ୱର୍ଣ୍ଣ ସହ ମୋଟ ୫୫ଟି ପଦକ ପାଇଛି । ଏଥିମଧ୍ୟରେ ରହିଛି ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ମେଡାଲ ।