କୁକୁଡା ଋଣ ନାଁରେ କୋଟି କୋଟି ଟଙ୍କା ଚଳୁ ।  ଋଣ କରାଇବା କହି ଲକ୍ଷାଧିକ ଟଙ୍କା ହରିଲୁଟ୍ । କୁକୁଡ଼ା ଫାର୍ମ ନାଁରେ ଜମା ଖାତାରୁ ଟଙ୍କା ଲୁଟ୍

104

କନକ ବ୍ୟୁରୋ: ସବସିଡି କୁକୁଡା ଫାର୍ମ ନାଁରେ କୋଟି କୋଟି ଟଙ୍କା ଚଳୁ ଅଭିଯୋଗ । ଏସଏଚଜି ଗ୍ରୁପର ଟଙ୍କା ହଡପ୍ କରି ନେଲେ ପଶୁ ସମ୍ପଦ ବିଭାଗର କର୍ମଚାରୀ ।  ମାଲକାନଗିରି କୋଡେଲମେଟଲା ଗାଁ ମହିଳାଙ୍କ କୁକୁଡା ଫାର୍ମ, ୭ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟରେ ସବସିଡି ଯୁକ୍ତ କୁକୁଡା ଫାର୍ମ ପ୍ରସ୍ତୁତ ଲାଗି ଓଡିଶା ଜୀବିକା ମିଶନ ପକ୍ଷରୁ ଜିଲ୍ଲାରୁ ପ୍ରାୟ ୫୦ ମହିଳା ଏସଏଚଜି ଗ୍ରୁପର ନାଁକୁ ସୁପାରିଶ କରାଗଲା । ତେବେ ନା ତାଲିକାରେ ନାଁ ଅଛି, ନାଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁକୁଡା ଫାର୍ମ ଋଣ ଲାଗି କାର୍ଯ୍ୟାଦେଶ ମିଳିଛି । ତା ପରେ ବି କୁକୁଡା ଫାର୍ମ ଯୋଗାଇବା କଥା କହି ଜମା ଖାତାରୁ ଲକ୍ଷେ ଲକ୍ଷେ ଟଙ୍କା ଚଳୁ କରିଦିଆଯାଛି ।

ଏହାର ପ୍ରତି ବଦଳରେ ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର ବହୁ ଏସଏଚଜିଙ୍କ ଝୁମ୍ପୁଡି ଘରେ ପ୍ରାୟ ୩୦ ହଜାର ମୁଲ୍ୟର ଏକ ହଜାର କଲର ବାର୍ଡ ଚିଆଁ ଓ କିଛି ବସ୍ତା ଦାନା ଛାଡିଯାଇଛନ୍ତି ପଶୁ ସମ୍ପଦ ବିଭାଗର ଅସାଧୁ କର୍ମଚାରୀ । ଏସଏଚଜି ମହିଳାଙ୍କ ଟଙ୍କା ହଡପ ଲାଗି ପଶୁ ସମ୍ପଦ ସହ ବିଭିନ୍ନ ବିଭାଗ ର ଅସାଧୁ କର୍ମଚାରୀ ମାନଙ୍କୁ ନେଇ ଏକ ରାକେଟ ସକ୍ରିୟ ଥିବା ଜଣାପଡିଛି ।

ସକ୍ରିୟ ରହିଛି ଏସଏଚଜି ଟଙ୍କା ହଡପ ରାକେଟ । ଏସଏଚଜିର ଜମା ଖାତାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ଗତ ୧୯ ଏପ୍ରିଲ ରେ ଭୂମିକା ଏସଏଚଜିଙ୍କ ଜମା ଖାତା ରେ ଜିପିଏଲଏଫ ସ୍କିମରୁ ୨ଲକ୍ଷ ୪୦ ହଜାର ରୁଣ ଟଙ୍କା ଜମା ହେଲା । ଓଡିଶା ଜୀବିକା ମିଶନର କ୍ଷେତ୍ର କର୍ମଚାରୀ ଓ ବ୍ଲକ ସ୍ତରୀୟ କର୍ମଚାରୀଙ୍କ ସୁପାରିଶ କ୍ରମେ ଟଙ୍କା ଜମା ହୋଇଥିଲା । ଆଉ ପରେ ଏସଏଚଜି ମହିଳାଙ୍କୁ ଭୁତାଇ ସବୁ ଟଙ୍କାକୁ ଟ୍ରାନ୍ସଫର କରି ନେଲେ ଏହି ଅସାଧୁ ଗୋଷ୍ଠୀ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।  ତେବେ ମହିଳା ମାନଙ୍କ ଆର୍ଥିକ ବିକାଶ ଲାଗି ଏସଏଚଜି ମାଧ୍ୟମରେ ନାନା ସରକାରୀ ଯୋଜନା ସବୁ ରହିଛି । ତେବେ ଏସଏଚଜି ଉଦ୍ଦେଶ୍ୟରେ ଆସୁ ଥିବା ସରକାରୀ ଯୋଜନା ଅସାଧୁ କର୍ମଚାରୀଙ୍କ ଯୋଗୁ ବାଟମାରଣା ହେଉଛି  । ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇଛି  ।