ଫାଇନାଲ ଖେଳିବେ ତ ରାହୁଲ? ଖରାପ ଫର୍ମ ଯୋଗୁ ହରାଇଥିଲେ ଉପ-ଅଧିନାୟକ ପଦ । ଏବେ ଚୂଡାନ୍ତ ଏକାଦଶରେ ପାଇବେ ତ ସ୍ଥାନ?

278

କନକ ବ୍ୟୁରୋ: ୨୦୨୩ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଘୋଷଣା ହେଇସାରିଛି ଭାରତୀୟ ଦଳ । ୧୫ ଜଣିଆ ଏହି ଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ, ଉପ -ଅଧିନାୟକ ଭାବେ କୌଣସି ବି ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇନି । ଯାହାକି ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପୂର୍ବରୁ ଦଳର ଉପ-ଅଧିନାୟକ ଥିବା କେ ଏଲ ରାହୁଲଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟ ପୁଣିଥରେ ଭରସା କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଖେଳିବାକୁ ଘୋଷଣା ହୋଇଥିବା ଦଳରେ ସ୍ଥାନ ପାଇଛନ୍ତି କେ ଏଲ ରାହୁଲ ।

ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଯେତେବେଳେ ଭାରତ ଗସ୍ତରେ ଆସିଥିଲା, ସେତେବେଳେ ପ୍ରଥମ ଦୁଇଟି ଟେଷ୍ଟରେ ରାହୁଲ ଦଳର ଉପ-ଅଧିନାୟକ ରହିଥିଲେ । ହେଲେ ଶେଷ ଦୁଇଟି ଟେଷ୍ଟରେ ସେ କେବଳ ନିଜର ଉପ-ଅଧିନାୟକ ପଦ ହରାଇନଥିଲେ, ବରଂ ଚୂଡାନ୍ତ ଏକାଦଶରୁ ମଧ୍ୟ ବାଦ୍ ପଡିଥିଲେ । ଲଗାତାର ଖରାପ ପ୍ରଦର୍ଶନର ଖଣ୍ଡା ତାଙ୍କ ବେକ ଉପରେ ପଡିବା ସହିତ ଦଳରୁ ଆଉଟ୍ ହୋଇଥିଲେ ରାହୁଲ । ହେଲେ ପୁଣିଥରେ ଏବେ ସେ ଦଳରେ ଇନ୍ କରିବା ସହିତ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ଘୋଷିତ ଦଳରେ ସ୍ଥାନ ପକ୍କା କରିଛନ୍ତି ।

ଲଗାତାର ଖରାପ ଫର୍ମ କିନ୍ତୁ ରାହୁଲଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ସେ ପ୍ରଥମ ଟେଷ୍ଟରେ କେବଳ ୨୦ ରନ୍ କରିଥିଲେ । ସେହିପରି ଦିଲ୍ଲୀ ଟେଷ୍ଟରେ ସେ ଯଥାକ୍ରମେ ୧୭ ରନ୍ ସହ ଦ୍ୱିତୀୟ ଇଂନିସରେ ୧ ରନ୍ କରିଥିଲେ । ଯାହା ପରେ ତାଙ୍କୁ ତୃତୀୟ ଓ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇଥିଲା । ହେଲେ ଏବେ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ୱିକେଟ୍ କିପିଂ ଦୃଷ୍ଟିରୁ ସେ ଦଳରେ ସ୍ଥାନ ପାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଭାରତୀୟ ଦଳରେ ଏବେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ କେ ଏସ ଭରତ ରହିଛନ୍ତି । ହେଲେ ତାଙ୍କ ପାଖରେ ସେତେଟା ଅଭିଜ୍ଞତା ନାହିଁ । ତେଣୁ ତାଙ୍କୁ ହଟେଇ କ୍ୟାପଟେନ୍ କେ ଏଲ୍ ରାହୁଲଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ସୁଯୋଗ ଦେଇପାରନ୍ତି । ପୂର୍ବରୁ ଭାରତୀୟ ଭେଟେରାନ୍ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ଏହି କଥା ଦୋହରାଇ ସାରିଛନ୍ତି । ତେଣୁ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଚାମ୍ପିୟନସିପରେ କେ ଏଲ୍ ରାହୁଲା ଚୂଡାନ୍ତ ଏକାଦଶରେ ସାମିଲ ହେଇପାରୁଛନ୍ତି କି ନାହିଁ, ତାହା ଦେଖିବାର କଥା ।