ଚିକେନ ତରକାରୀ ପାଇଁ ଥାନାରେ ଅଭିଯୋଗ : କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଲା ଏଭଳି ଦୃଶ୍ୟ

165

କନକ ବ୍ୟୁରୋ : ଅପରାଧ, ଚୋରି, ହତ୍ୟା, ଲୁଟ୍ ଆଦି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥାଏ । କିନ୍ତୁ କେବେ ଚିକେନ୍ ପାଇଁ ଥାନାରେ ଅଭିଯୋଗ ହୋଇଥିବା ଶୁଣିଛନ୍ତି କି ? କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଚିକେନ ତରକାରୀ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କାଉନସିଲରଙ୍କ ସ୍ୱାମୀ । କୋରାପୁଟ ପୌର ପରିଷଦ ୧୦ ନମ୍ବର ୱାର୍ଡ କାଉସିଲର କମଳା ନାୟକଙ୍କ ସ୍ୱାମୀ ଧନଞ୍ଜୟ ନାୟକ ଖରାପ ଚିକେନକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଧନଞ୍ଜୟଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ସକାଳେ ଏକ ଚିକେନ ଦୋକାନରୁ ଦେଶୀ କୁକୁଡ଼ା ମାଂସ ନେଇଥିଲେ । ମାଂସ ନେଇ ରୋଷେଇ କରିବା ପରେ ତରକାରୀରୁ ଦୁର୍ଗନ୍ଧ ବାହାରିଥିଲା । ସେଇ ମାଂସ ତରକାରୀକୁ ଧରି ଦୋକାନୀ ପାଖକୁ ଯାଇ ପଚାରିବାରୁ ସେ ତାଙ୍କୁ ମଲା କୁକୁଡ଼ା ମାଂସ ଦେଇଥିବା କଥା କହିଥିଲା । ସତ ମାନିବା ସହିତ ତାଙ୍କ ଟଙ୍କା ଫେରସ୍ତ କରିବା ପାଇଁ ମଧ୍ୟ କହିଥିଲେ । ଏ ନେଇ କାଉସିଲରଙ୍କ ସ୍ୱାମୀ ସଂପୃକ୍ତ ଦୋକାନୀ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଗ୍ରାହକମାନଙ୍କୁ ଠକୁଥିବା ନେଇ କୋରାପୁଟ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ସଂପୃକ୍ତ ଚିକେନ ଦୋକାନୀ ପଚରାଉଚରା କରିଛି ।