ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା,ଗତ ୨୪ ଘଂଟାରେ ୩୩୨୪ ସଂକ୍ରମିତ ଚିହ୍ନଟ

83

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ୩୩୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଗତକାଲି ତୁଳନାରେ ୯.୯ ପ୍ରତିଶତ କମ ବୋଲି କୁହାଯାଇଛି । ଦେଶରେ ୫ ଟି ରାଜ୍ୟରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏସବୁ ଭିତରେ ଦେଶରେ ପୁଣି କରୋନା ଆକ୍ଟିଭ ମାମଲା ୧୯,୦୯୨ କୁ ବୃଦ୍ଧି ପାଇଛି । କହିରଖୁ କି ଶନିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ୩୬୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଦିଲ୍ଲୀରେ ସର୍ବାଧିକ ୧୫୨୦, ହରିଆଣାରେ ୪୯୦, କେରଳ ୩୩୭, ଉତ୍ତର ପ୍ରଦେଶ ୨୭୫ ଓ ମହାରାଷ୍ଟ୍ରରୁ ୧୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୪୦ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତ ଜନିତ ମୃତ୍ୟୁ ସଂଖ୍ୟା ୫,୨୩,୮୪୩ କୁ ବୃଦ୍ଧି ପାଇଛି ।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ କରିସାରିଛନ୍ତି । ଏହାସହ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ପୁଣିଥରେ କରୋନା କଟକଣାକୁ କଡାକଡି କରିବା ଆରମ୍ଭ କରିଦେଇଛନ୍ତି ।