ନାମାଙ୍କନ ପୂର୍ବରୁ ୪ ରାଜସଭା ପ୍ରାର୍ଥୀଙ୍କୁ ଗୁୁରୁମନ୍ତ୍ର ଦେଲେ ନବୀନ : ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ କାମ କରିବାକୁ ପରାମର୍ଶ

103

କନକ ବ୍ୟୁରୋ : ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକେଟ୍ ମିଳିବା ପରେ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଜ୍ୟ ପାଇଁ ଭଲ କାମ କରିବା ସହ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ ।

ନବୀନଙ୍କୁ ଭେଟିବା ପରେ ରାଜ୍ୟର ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ନିର୍ଦ୍ଦେଶ ଅନୁସାରେ ଆଗକୁ ବଢିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବିଶେଷ କରି ଆଦିବାସୀ, ଦଳିତ, ଚାଷୀ, ମୂଲିଆ ଓ ଖଟିଖିଆଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସେମାନେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ୩୧ ତାରିଖ ଦିନ ଏହି ୪ ଜଣ ପ୍ରାର୍ଥୀ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ସୁଲତା ଦେଓ ଏବେ ବିଜେଡିର ମୁଖପାତ୍ର ସହ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟରତ । ପୂର୍ବରୁ ସେ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଇଛନ୍ତି । ବିଜେଡିର ଜଣେ ଆଗ ଧାଡ଼ିର ନାରୀନେତ୍ରୀ ଭାବେ ସୁଲତା ଜଣାଶୁଣା ।

ବିଜେଡିର ଅନ୍ୟତମ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରା‌ଜ ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ଏହା ସହ ଦଳର ସାଧାରଣ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସାମ୍ବାଦିକତାରୁ କ୍ୟାରିୟର୍‌ ଆରମ୍ଭ କରିଥିବା ମାନସ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ସାମିଲ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ସେ ବିଜେଡିରେ ସାମିଲ ହୋଇ ଗଣମାଧ୍ୟମ ଉପଦେଷ୍ଟା ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଥିଲେ ।

ସସ୍ମିତ ପାତ୍ର ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ଜୁନ୍ ମାସରେ ରାଜ୍ୟସଭା ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟସଭା ଯାଇଥିଲେ । ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା । ତାଙ୍କ କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ବିଜେଡି ସଭାପତି ତାଙ୍କୁ ଲଗାତାର ଦ୍ବିତୀୟ ଥର ପାଇଁ ମନୋନୀତ କରିଥିବା କୁହାଯାଉଛି। ବିଜେଡିରେ ତୃତୀୟ ବ୍ୟକ୍ତି ଭାବେ ସସ୍ମିତ ଲଗାତାର ଦ୍ବିତୀୟ ଥର ରାଜ୍ୟସଭାକୁ ଯିବେ । ପୂର୍ବରୁ ବୈଜୟନ୍ତ ପଣ୍ଡା ଓ ପ୍ୟାରୀମୋହନ ମହାପାତ୍ର ଦୁଇ ଥର ଲେଖାଏ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପଶ୍ଚିମ ଓଡ଼ିଶାର ଆଦିବାସୀ ସଂଗଠକ ନିରଞ୍ଜନ ବିଶିଙ୍କ ନାମ ଘୋଷଣା ରାଜନୈତିକ ମହଲକୁ ଆଚମ୍ବିତ କରିଛି । ତାଙ୍କ ନାମ ଆଦୌ ଚର୍ଚ୍ଚାରେ ନ ଥିଲା । ଦଳର ଆଗଧାଡ଼ିର ନେତାମାନେ ମଧ୍ୟ ଏ ସମ୍ପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲେ । ବିଭିନ୍ନ ସମୟରେ ସେ ଶାସକ ବିଜେଡି ବିରୋଧରେ ଆନ୍ଦୋଳନ କରିଥିବାର ନଜିର ରହିଛି । ଚଳିତ ସପ୍ତାହରେ ସେ ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ରାଜ୍ୟସଭା ପାଇଁ ତାଙ୍କୁ ମନୋନୀତ କରାଯିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ।