ଭାରତ ଓ ତାଇୱାନକୁ ନେଇ ବିବାଦ : ଚୀନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ; ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଦେଲେ ନିର୍ଦ୍ଦେଶ

183

କନକ ବ୍ୟୁରୋ : ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଭିତରେ ବଡ ବୟାନ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ । ଗୋଟିଏ ପଟେ ଭାରତ ଅନ୍ୟ ପଟେ ତାଇୱାନକୁ ନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ଚୀନ ତାର ପ୍ରତିରକ୍ଷା ବଜେଟରେ ୭ ଦଶମିକ୍ ୨ ପ୍ରତିଶତ ବୃଦ୍ଧି କରିବ ବୋଲି ସଂସଦରେ ଉଦବୋଧନ ଦେଇ କହିଛନ୍ତି ଲି କେକ୍ୱିଆଙ୍ଗ୍ ।

ଫଳରେ ଚୀନର ପ୍ରତିରକ୍ଷା ବଜେଟ୍ ୨୨୫ ବିଲିୟନ ଡଲାର ଅର୍ଥାତ୍ ୧୮ ଲକ୍ଷ ୩୮ ହଜାର ୪୭୭ କୋଟି ଛୁଇଁବ ବୋଲି କୁହାଯାଉଛି । ଏହାକୁ ମିଶାଇ ଲଗାତାର ୮ ବର୍ଷ ହେବ ଚୀନ ତାର ପ୍ରତିରକ୍ଷା ବଜେଟରେ ଲଗାତାର ଭାବେ ବୃଦ୍ଧି କରିଚାଲିଛି । ଯାହା ଭାରତ ସମେତ ପଡୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଆମେରିକା ପରେ ବିଶ୍ୱରେ ଚୀନର ପ୍ରତିରକ୍ଷା ବଜେଟ୍ ଦ୍ୱିତୀୟ ସର୍ବଧିକ ଥିବା ବେଳେ ଏହି କ୍ଷେତ୍ରରେ ଭାରତ ତିନି ନମ୍ବରରେ ଅଛି ।

ତାଇୱାନଠୁ ଆରମ୍ଭ କରି ଦକ୍ଷିଣ ଚୀନ ମହାସାଗରରେ ଆମେରିକାର କାର୍ଯ୍ୟକଳାପକୁ ନେଇ ବେଜିଂ ଚିନ୍ତାରେ ଅଛି । ଏହାଛଡା ଚୀନର ଚେତାବନୀ ସତ୍ୱେ ଆମେରିକାର ତତକାଳୀନ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନର ଚିନ୍ତା ଆହୁରୀ ବଢାଇଦେଇଛି । ଚୀନ ପ୍ରଧାନମନ୍ତ୍ରୀ ଲି କହିଛନ୍ତି, ୨୦୧୭ରେ ପିଏଲଏର ଶତବାର୍ଷିକ ପାଳନ ଉପରେ ଚୀନ ଅଧିକ ଗୁରୁତ୍ୱ ଦେଉଛି । ମିଲିଟାରୀ ଦକ୍ଷତା ବଢାଇବା ସହ ମିଲିଟାରୀ ଅପରେସନ ଉପରେ ଚୀନ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି ।