ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶାସନର ଟିପ୍ସ: ପ୍ରସ୍ତୁତ ହେଲା ୧୦୦ ଦିନର କାର୍ଯ୍ୟ ଖସଡ଼ା

793

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିବା ପରେ ଜୋଶରେ ରାଜ୍ୟ ବିଜେପି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ମନ୍ତ୍ରୀଙ୍କ ସହ ବଡ ବୈଠକ କରି ଶହେ ଦିନର ରୋଡମ୍ୟାପ ଦେଇଛନ୍ତି । ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ମନ୍ତ୍ରୀଙ୍କ ପାଖରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଲୋକଙ୍କ ପାଖରେ ପଂହଚିବା ପାଇଁ ବି ପରାମର୍ଶ ଦେଇଛନ୍ତି । ମୋଟ ଉପରେ ଆଜିର ବୈଠକରେ ଶହେ ଦିନର ଖସଡା ପ୍ରସ୍ତୁତ ହୋଇଛି ।

ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ବୈଠକ । ଆଉ ବୈଠକରେ ମନ୍ତ୍ରୀଙ୍କୁ ଦିଆଯାଇଛି ଶହେ ଦିନର କାର୍ଯ୍ୟଖସଡା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର କରିବା ପରେ ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇଥିଲେ ମୁଖମନ୍ତ୍ରୀ ମୋହନ ମାଝି ଓ ୨ ଉପମୁଖ୍ୟମନ୍ତ୍ରୀ କନକବର୍ଧନ ସିଂହଦେଓ , ପ୍ରଭାତୀ ପରିଡା । ଗସ୍ତସମୟରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଭଳି ବିଜେପିର ତୁଙ୍ଗନେତାଙ୍କୁ ଭେଟି ଶାସନ ସମ୍ପର୍କରେ ଗୁରୁମନ୍ତ୍ର ଆଣିଥିଲେ। ଆଉ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି ।

ମନ୍ତ୍ରୀମଣ୍ଡଳରେ ଅନେକ ନୂଆ ଚେହେରା ଥିବାରୁ ମନ୍ତ୍ରୀ ଯେଭଳି ପ୍ରଭାବଶାଳୀ ଢଙ୍ଗରେ କାମ କରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝି। ବିଶେଷକରି ତୃଣମୂଳସ୍ତରରେ ଯୋଜନା ପଂହଚିବା ଉପରେ ମୁଖ୍ୟମନ୍ତ୍ରୀ ଫୋକସ କରିଥିବା ଚର୍ଚ୍ଚା ହେଉଛି ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ସହ କଣ ଆଲୋଚନା କରିଛନ୍ତି ଆସନ୍ତୁ ନଜର ପକାଇବା
-୧୦୦ ଦିନର ରୋଡମ୍ୟାପ ଦେଲେ ମୋହନ ମାଝୀ
-ମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ରିପୋର୍ଟ ମାଗିଲେ
-ଦିଲ୍ଲୀରୁ ଆଣିଥିବା ବାର୍ତ୍ତା ପହଞ୍ଚାଇଲେ
-ଲୋକ-ସରକାର ଭିତରେ ଥିବା ପାଚେରୀକୁ ଭାଙ୍ଗି ଲୋକଙ୍କ ପାଖରେ ପଂହଚିବା ପାଇଁ ପରାମର୍ଶ
-ସମୀକ୍ଷା ପରେ ନିଜ ନିଜ ବିଭାଗର କାମକୁ ଆଗକୁ ବଢାଇବାକୁ କହିଲେ ମୁଖ୍ୟମନ୍ତ୍ରୀ
-ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ନୂଆ ସରକାର ଶପଥ ନେବାର ମାତ୍ର ୩ ସପ୍ତାହ ହୋଇଛି । ଆଉ ନୂଆ ମନ୍ତ୍ରୀ ନିଜ ନିଜ ବିଭାଗର ସମୀକ୍ଷା କରି ତଥ୍ୟ ନେଇଛନ୍ତି । ଏବେ ଆଗକୁ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ବଡ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।