ବିଚାରପତି ନିଯୁକ୍ତିକୁ ନେଇ କଲେଜିୟମର ସୁପାରିଶକୁ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର : ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ ବେଞ୍ଚ

99

କନକ ବ୍ୟୁରୋ : କଲେଜିୟମ ଦ୍ୱାରା ହେଉଥିବା ସୁପାରିଶକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଛନ୍ତି । ହେଲେ କେନ୍ଦ୍ର ସରକାର ସ୍ୱୀକୃତି ନଦେଇ ଏଥିରେ ବିଳମ୍ବ କରୁଛନ୍ତି । ଶୁକ୍ରବାର ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଆଇନ ସଚିବଙ୍କଠାରୁ ଜବାବ ମାଗିଛନ୍ତି । ଏବଂ ଏଭଳି ବିଳମ୍ବ କାହିଁକି ହେଉଛି ତାହା ସ୍ପଷ୍ଟ କରିବାକୁ କହିଛନ୍ତି ।

ଜଷ୍ଟିସ ଏସକେ କୌଲ ଏବଂ ଏଏସ୍ ଓକାଙ୍କ ଖଣ୍ଡପୀଠ କହିଛନ୍ତି, ଏଯାବତ ୬୮ଟି ନାମ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଅପେକ୍ଷାରେ ରହିଛି । ଏହି ୬୮ ଜଣଙ୍କ ମଧ୍ୟରୁ ଜଣଙ୍କର ନିକଟରେ ମୃତ୍ୟୁ ହୋଇସାରିଛି । ଉଭୟ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରିଥିଲେ । ସମୟ ମଧ୍ୟରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ଏପ୍ରିଲ ୨୦, ୨୦୨୧ରେ ଯେଉଁ ରାୟ ଦେଇଥିଲେ ତାହାର ଜାଣିଶୁଣି ଉଲ୍ଲଂଘନ କରାଯାଇଛି ବୋଲି ଖଣ୍ଡପୀଠ କହିଛନ୍ତି ।