ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମାରିଲା ମୋହର ।

122

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ଦଳ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି । ଗତକାଲି ନିଜେ ପ୍ରଦୀପ ବିଜେପିରୁ ପ୍ରାର୍ଥୀ ହେଉଥିବା ନେଇ ଆଗୁଆ ସୂଚନା ଦେଇଥିଲେ । ସେହିଭଳି ବିଜେପି ବିଧାୟିକା କୁସୁମ ଟେଟେଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ । ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେପି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ଏପରିକି ପଦ୍ମପୁରରେ ବିଜେପିର ବିଜୟ ନିଶ୍ଚିତ ବୋଲି ପ୍ରଦୀପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏଯାବତ୍ ନିଜର କାର୍ଡ ଖୋଲିନାହାନ୍ତି । ଉଭୟ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଉପରୁ ଏଯାଏଁ ପରଦା ହଟିନି । ପ୍ରାର୍ଥୀ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ପାଇଁ ଉଭୟ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ସ୍ଥାନୀୟ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଥିବା ବେଳେ କଂଗ୍ରେସ ମଧ୍ୟ କବାଟକିଳା ବୈଠକରେ ଆଗୁଆ ରଣନୀତି ପ୍ରସ୍ତୁତି କରିଛି । ଯେହେତୁ ବିଜେଡି ଏହି ଆସନରେ ଗତ ନିର୍ବାଚନରେ ବିଜୟୀ ହୋଇଥିଲା ତେଣୁ ପୁଣିଥରେ ଏହାକୁ ବଜାୟ ରଖିବାକୁ ଅଣ୍ଟା ଭିଡିଛି । ଯେଉଁଥିପାଇଁ ପ୍ରାର୍ଥୀ ଚୟନରେ ବେଶ ସତର୍କତାର ସହ ଗୋଟି ଚାଳନା କରୁଛି । ଅନ୍ୟପଟେ ଏହି ଆସନରେ କଂଗ୍ରେସର ବଡ ଭୋଟବ୍ୟାଙ୍କ ଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଓ ଅପରାଗତା, ଚାଷୀ ବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ।