ପ୍ରମାଣ ଖୋଜୁଛି ସିବିଆଇ, ଚାଲିଛି ସିସୋଦିଆଙ୍କ ବ୍ୟାଙ୍କ ଲକର ଯାଂଚ

326

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢିଲା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । କିଛିଦିନ ତଳେ ଜାତୀୟ ଯାଂଚ ଏଜେନ୍ସି ମନୀଷ ସିସୋଦିଆଙ୍କ ବାସଭବନରେ ଚଢାଉ କରିଥିବା ବେଳେ ଆଜି ତାଙ୍କ ବ୍ୟାଙ୍କ ଲକର ନେଇ ଯାଂଚ ଆରମ୍ଭ କରିଛି । ଗାଜିଆବାଦ ବସୁନ୍ଧରା ସେକ୍ଟର-୪ ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସିସୋଦିଆଙ୍କର ଏକ ବ୍ୟାଙ୍କ ଲକର ରହିଛି । ଏହି ଲକରକୁ ଯାଂଚ କରିବାକୁ ଆଜି ସିବିଆଇର ଟକ ଟିମ୍ ପହଂଚିଛି । ଏହି କ୍ରମରେ ସିସୋଦିଆ ଓ ତାଙ୍କ ପତ୍ନୀ ବ୍ୟାଙ୍କରେ ଉପସ୍ଥିତ ଅଛନ୍ତି । ସିବିଆଇ ଅଧିକାରୀ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ତାଙ୍କ ବ୍ୟାଙ୍କ ଲକର ଯାଂଚ କରିବ ବୋଲି ଜଣାପଡିଛି ।

ସୂଚନା ଥାଉକି ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଆକ୍ସନ ମୋଡକୁ ଆସିଛି । ଏହି କ୍ରମରେ ପ୍ରଥମେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢାଉ କରିଥିଲା । ଏହାପରେ ପୂର୍ବତନ ଅବକାରୀ କମିଶନର ଅରାବା ଗୋପୀ କୃଷ୍ଣନାଙ୍କ ଙ୍କ ଘର ସମେତ ରାଜ୍ୟର ୨୧ ଟି ଠିକଣାରେ ଚଢାଉ କରିଥିଲା । ହେଲେ ଏହି ଚଢାଉ ସମୟରେ କଣ କଣ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ପ୍ରଥମେ କିଛିଦିନ ପୂର୍ବରୁ ଦିଲ୍ଲୀର ନୂଆ ଉପ ରାଜ୍ୟପାଳ ବିନୟ ସକ୍ସେନା ଏହି ମାମଲାରେ ସିବିଆଇ ଯାଂଚ ପାଇଁ ସୁପାରିଶ କରିଥିଲେ । ଉପ ରାଜ୍ୟପାଳ ଦିଲ୍ଲୀ ମୁଖ୍ୟ ସଚିବଙ୍କ ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନେଇଥିଲେ । କହିରଖୁ କି ଦିଲ୍ଲୀର ଅବକାରୀ ବିଭାଗର ଦାୟୀତ୍ୱ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଧିନରେ ରହିଛି ।