ଆଦାନୀ ପ୍ରସଙ୍ଗରେ ପୁଣି ସଂସଦରେ ହଙ୍ଗାମା, ରାହୁଲ ଗାନ୍ଧୀଙ୍କ ପରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମଲ୍ଲିକାର୍ଜୁନ ଖଡଗେ

115

କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଆଜି ବିରୋଧୀମାନଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ଦୋଷାରୋପ କରିଛନ୍ତି ।

ସେପଟେ ମଲ୍ଲିକାର୍ଜୁନଙ୍କ ଅଭିଯୋଗ ଉପରେ ରୋକ ଲଗାଇଥିଲେ ରାଜ୍ୟସଭା ବାଚସ୍ପତ୍ତି ଜଗଦୀପ ଧନଖଡ । ସେ କହିଥିଲେ କି ସଂସଦରେ କୌଣସି ଅଭିଯୋଗ ଆଣିବା ପୂର୍ବରୁ ନିଜ ପାଖରେ ସମସ୍ତ ପ୍ରମାଣ ରଖିବା ଆବଶ୍ୟକ । ଧନଖଡଙ୍କ ଏଭଳି ମନ୍ତବ୍ୟ ପରେ ସମସ୍ତ ବିରୋଧୀଦଳ ଏକଜୁଟ ହୋଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ ।

କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି କି ଦେଶରେ ଘୃଣା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ସେ କହିଥିଲେ କି, ପ୍ରଧାନମନ୍ତ୍ରୀ ମୌନ ବାବା ହୋଇ ରହିପାରିବେ ନାହିଁ । ମୌନ ବାବା ଶବ୍ଦ ଉପରେ ଅଭିଯୋଗ କରିଥିଲେ ବାଚସ୍ପତ୍ତି ଧନଖଡ । ସେ କହିଥିଲେ କି, ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏଭଳି ଶବ୍ଦ ବ୍ୟବହାର କରାଯାଇପାରିବ ନାହିଁ ।

ଖଡଗେ କହିଥିଲେ କି ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ରଖିଥିଲେ କି, ନା ଖାଇବି ନା ଖାଇବାକୁ ଦେବି । ହେଲେ ନିଜର ଜଣେ ବନ୍ଧୁଙ୍କର ସମ୍ପତ୍ତି ମାତ୍ର ଅଢେଇବର୍ଷରେ ୮ ଗୁଣା କିଭଳି ଭାବେ ବୃଦ୍ଧି ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନା ଥାଉକି ହିଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର କମିବାରେ ଲାଗିଛି । ଏହାକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ଦାୟୀ କରିଛନ୍ତି । ଏହି ପ୍ରସଙ୍ଗରେ ଆଦାନୀ କମ୍ପାନୀରେ ଏଲଆଇସିର ଟଙ୍କା ଲାଗିଥିବା ଓ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଆଦାନୀ ଗ୍ରୁପ ଋଣ ନେଇଥିବାରୁ ଏହା ବୁଡିଯିବାର ଆଶଂକା କରିଛନ୍ତି ବିରୋଧୀ ।