ଏମିତି ଭାଇ ଜଗତେ ନାହିଁ: ପରିଣତ ବୟସରେ ବି ଭଉଣୀର ସେବା କରୁଛି ଭାଇ

130

କନକ ବ୍ୟୁରୋ: ନିଜ ହାତରେ ଭଉଣୀକୁ ଖୁଆଇ ଦେଉଛନ୍ତି । ମୁଣ୍ଡରେ ତେଲ ଲଗେଇ ଦେଉଛନ୍ତି । ଆଉ ଭଲ ମନ୍ଦ ମଧ୍ୟ ବୁଝୁଛନ୍ତି । ଦୁହେଁ ପରିଣତ ବୟସରେ ଉପନୀତ । ତଥାପି ଭଉଣୀର ହାତ ଛାଡ଼ି ନାହାନ୍ତି ଭାଇ । ଏ ହେଉଛନ୍ତି ଗଜପତି ଜିଲ୍ଲା ରାଇଜୁକା ଗାଁର ବୃଦ୍ଧ ଭାଇ ଭଉଣୀ କାଶୀନାଥ ଓ ସୁଲକ୍ଷଣୀ । ବଡ଼ ଭଉଣୀର ବୟସ ୮୦ ଟପିଥିବା ବେଳେ ଭାଇର ବୟସ ୭୫ । ପ୍ରାୟ ୬୦ ବର୍ଷ ତଳେ ରୋଷେଇ କରିବା ସମୟରେ ସୁଲକ୍ଷଣୀଙ୍କ ମୁହଁ ପୋଡ଼ିଯାଇଥିଲା । ଆଉ ସେବଠାରୁ ଅକର୍ମଣ୍ୟ ହୋଇଯାଇଛନ୍ତି ସୁଲକ୍ଷଣୀ । ଆଖିକୁ ଦିଶୁନି କି କାନକୁ ମଧ୍ୟ ଶୁଭୁନି । ବାପା ମା’ ଆରପାରିକୁ ଚାଲିଯିବା ପରେ ଭାଇ ହିଁ ତାଙ୍କର ଏକମାତ୍ର ସାହାରା ପାଲଟିଛନ୍ତି ।

ଅନ୍ୟପଟେ ଭାଇ କାଶୀନାଥଙ୍କ ପତ୍ନୀ ଆରପାରିକୁ ଚାଲିଯିବା ପରେ ପୁଅ ବୋହୁ ମଧ୍ୟ ସେମାନଙ୍କ ଦାୟିତ୍ୱ ନେଲେ ନାହିଁ । ଫଳରେ ନିଜ ଗାଁ ଛାଡ଼ି ରାଇଜୁକା ଗାଁରେ ୨୦ ବର୍ଷ ହେଲା ଭାଇ ଭଉଣୀ ଦୁହେଁ ରହୁଛନ୍ତି । ରାଇଜୁକା ଗାଁ ଲେକେ ଗାଁ ମୁଣ୍ଡରେ ଖଣ୍ଡେ ଯାଗା ଦେଇ ପ୍ରଥମେ ଏକ ଚାଳ ଛପର ଘର କରିଥିଲେ । ତିତିଲି ବାତ୍ୟାରେ ଘର ଭାଙ୍ଗିଯିବାରୁ ଗାଁ ଲୋକେ ମିଳିତ ଭାବେ ଏକ ଆଜବେଷ୍ଟସ୍ ଘର କରିଦେଇଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବାର୍ଦ୍ଧକ୍ୟ ଭତା ମିଳୁଛି । ତେଣୁ ଦୁହିଁଙ୍କୁ ଆଉ କିଛି ସହାୟତା କରିବାକୁ ସେମାନେ ଦାବି କରିଛନ୍ତି । ଦୀର୍ଘ ୨୦ ବର୍ଷ ହେଲା ଦୁଃଖ କଷ୍ଟରେ ରହୁଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ । ତେବେ ପରିଣତ ବୟସରେ ଭାଇ ଭଉଣୀଙ୍କର ଏଭଳି ଭଲ ପାଇବାକୁ ସ୍ଥାନୀୟ ଅଂଚଳରେ ସମସ୍ତେ ପ୍ରଶଂସା କରିଛନ୍ତି ।