କଟା ଘା’ରେ ଚୂନ ସେକ : ମମତା ବାନାର୍ଜୀଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଇବ ବିଜେପି

253

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୦ଲକ୍ଷ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ପଠାଇବ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠିକଣାରେ କାର୍ଡ଼ ପଠାଯିବ ବୋଲି ନବ ନିର୍ବାଚିତ ବିଜେପି ବିଧାୟକ ଅର୍ଜୁନ ସିଂହ କହିଛନ୍ତି । ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏବେ ବିଜେପି ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତାଙ୍କୁ ପଠାଇ କଟା ଘା’ରେ ଚୂନ ଦେଇଛି । ଗତ ୩୧ ତାରିଖରେ ଉତର ୨୪ ପ୍ରଗଣା ଜିଲ୍ଲାରେ ମମତା ଧାରଣାସ୍ଥଳକୁ ଯିବା ବେଳେ କିଛି ବିଜେପି କର୍ମୀ ଜୟଶ୍ରୀରାମ ନାରା ଦେଇଥିଲେ । ଯାହା ଶୁଣିବା ପରେ ମମତା ରାଗିଯାଇ ବିଜେପି ଏଜେଂଟ କହି ନାରାବାଜି କରୁଥିବା ଲୋକଙ୍କୁ ଗାଳି ଦେଇଥିଲା ।

ଏହାପରେ ଉପସ୍ଥିତ ପୁଲିସ ନାରାବାଜି କରିଥିବା ୭ଜଣଙ୍କୁ ଅଟକ ରଖିଥିଲା । ଆଉ ଏହାର ପ୍ରତିବାଦରେ ରାଜ୍ୟ ବିଜେପି ୧୦ ଲକ୍ଷ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟକାର୍ଡ ମମତା ବାନାର୍ଜୀଙ୍କୁ ବସଭବନ ଠିକଣାରେ ପଠାଇବ ବୋଲି ସ୍ଥିର କରିଛି । ସୂଚନାଯୋଗ୍ୟ ତୃଣମୂଳ କଂଗ୍ରେସର ବିଧାୟକ ରହି ସାରିଥିବା ଅର୍ଜୁନ ସିଂ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲାଠିଚାଳନା କରାଯାଇଥିବାରୁ ଏପରି ଅଭିନବ ପ୍ରତିବାଦ କରିବା ପାଇଁ ଯୋଜନା କରାଯାଇଛି ବୋଲି କହିଛନ୍ତି । ସେପଟେ ତୃଣମୂଳ କଂଗ୍ରେସହ ଜଣେ ନେତା କହିଛନ୍ତି ରାଜ୍ୟରେ ଅରାଜକତା ସୃଷ୍ଟି କରିବା ପାଇଁ ବିଜେପି ଷଡ଼ଯନ୍ତ୍ର ରଚୁଛି ।