ଦଳର ଛାତ୍ର ଶାଖା ଉପରେ ବିଜେଡିର ଫୋକସ । ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସଦସ୍ୟଙ୍କୁ ପରାମର୍ଶ । ଏପଟେ କାହିଁକି ହେଉନି ଛାତ୍ର ସଂସଦ ନିର୍ବାଚନ, ଉଠିଲା ପ୍ରଶ୍ନ

180

କନକ ବ୍ୟୁରୋ: ଦଳର ଛାତ୍ର ଶାଖା ଉପରେ ବିଜେଡିର ଫୋକସ । ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷକରି ବିରୋଧୀଙ୍କୁ ରୋକିବା ପାଇଁ ହେଉ କି କେନ୍ଦ୍ର ଅବହେଳା ହେଉ, ରାଜ୍ୟ ସରକାର ବିରୋଧରେ ପ୍ରଚାରକୁ କାଉଣ୍ଟର କରିବେ ଛାତ୍ର ବିଜେଡିର ସଦସ୍ୟ । ଏପଟେ କାହିଁକି ଛାତ୍ର ସଂସଦ ନିର୍ବାଚନ ହେଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ତେବେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।

  • ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଛାତ୍ର ବିଜେଡି
  • ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ପରାମର୍ଶ

ଆଗାମୀ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ । ବିଶେଷକରି, ବିରୋଧୀଙ୍କୁ ରୋକିବା ପାଇଁ ହେଉ କି କେନ୍ଦ୍ର ଅବହେଳା ହେଉ, ରାଜ୍ୟ ସରକାର ବିରୋଧରେ ପ୍ରଚାରକୁ କାଉଣ୍ଟର କରିବେ ଛାତ୍ର ବିଜେଡିର ସଦସ୍ୟ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ବିଜୁ ଛାତ୍ର ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଛାତ୍ର ବିଜେଡିର ସଦସ୍ୟଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଦଳର ଶୀର୍ଷ ନେତୃତ୍ୱ । ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ, ବିରୋଧୀଙ୍କ ବିଭ୍ରାନ୍ତିକର ତଥ୍ୟକୁ ପ୍ରତିରୋଧ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଛାତ୍ର ବିଜେଡି କିପରି କ୍ୟାମ୍ପସ କମିଟି, କଲେଜ ଓ ୟୁନିଭର୍ସିଟିରେ ସୁଦୃଢ଼ ଓ ସଂଗଠିତ ହେବ ,ଓ ସେଥିପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ର ବିଜେଡିର ଜିଲ୍ଲା ସଭାପତି ଓ କର୍ମକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଦରଦାମ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଭଳି ପ୍ରସଙ୍ଗରେ ଆଗାମି ଦିନରେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଦଳୀୟ ନେତା ।

  • ତେଜିଲା ରାଜନୀତି
  • କଂଗ୍ରେସ କହିଲା, ଦୋମୁହାଁ ନୀତି ଧରିଛି ଶାସକ ଦଳ

ଗୋଟିଏ ପଟେ ଛାତ୍ର ବିଜେଡି କଲେଜ ଓ ୟୁନିଭର୍ସିଟିରେ କ୍ୟାମ୍ପସ କମିଟି ଗଠନ କରି ଦଳର ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି କରୁଛି । କିନ୍ତୁ ଅନ୍ୟପଟେ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେଉଥିବା ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ଗତ କିଛି ବର୍ଷ ହେଲା ଲଗାତାର ଭାବରେ ଛାତ୍ର ସଂସଦ ନିର୍ବାଚନ ବାତିଲ କରି ଆସୁଛନ୍ତି ରାଜ୍ୟ ସରକାର । ଯାହାକୁ ସମାଲୋଚନା କରିଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ କହିଛି, ବିଜେଡି ଡାହାଣୀ ହୋଇ ଲାଗୁଛି ଓ ଗୁଣିଆ ହୋଇ ଝାଡୁଛି । ତେବେ ବିଜେଡି କହିଛି, କ୍ୟାମ୍ପସରେ ଗଣ୍ଡଗୋଳ ଯୋଗୁଁ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ ।

କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ରାଜନୀତିରୁ ବହୁ ବଡ ବଡ ନେତା ସୃଷ୍ଟି ହୋଇଥାନ୍ତି । ଯେଉଁମାନେ ପରବର୍ତି ସମୟରେ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥାନ୍ତି । କିନ୍ତୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ଦ୍ୱାରା ଆଗାମି ଦିନରେ ଖରାପ ପ୍ରଭାବ ପଡିବ ବୋଲି କହିଛନ୍ତି, ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଛାତ୍ର ନିର୍ବାଚନ ହେବ କି ନାହିଁ ସ୍ପଷ୍ଟ ହୋଇନି । କିନ୍ତୁ ଗତ କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଉଥିବାରୁ ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦାନା ବାନ୍ଧୁଛି ।