“ରାଜ୍ୟ ବିଜେପି ପାଖରେ ଅଛି ଅଦ୍ୱିତୀୟ ୱାସିଂ ମେସିନ୍ ।”….. ବୈଜୟନ୍ତ, ଜଗଦ୍ଦେବ, ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନେଇ ବିଜେପିକୁ ସସ୍ମିତଙ୍କ ଟାର୍ଗେଟ୍ ।

126

କନକ ବ୍ୟୁରୋ: ୱାସିଂ ମେସିନ୍ କଥା କହି ବିଜେପିକୁ ଟାର୍ଗେଟ କଲା ବିଜେଡି । ରାଜ୍ୟ ବିଜେପି ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାସିଂ ମେସିନ୍ ଅଛି ବୋଲି କହିବା ସହିତ ଏହି ୱାସିଂ ମେସିନରେ ଦାଗି ନେତାଙ୍କୁ ପୁରାଇ ବିଜେପି ସଫା କରିଦେଉଛି ବୋଲି କଟାକ୍ଷ କରି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସସ୍ମିତ ପାତ୍ର କହିଛନ୍ତି, ଯେତେବେଳେ ବି ରାଜ୍ୟ ବିଜେପି, ବିଜେଡି ନେତାଙ୍କୁ ଟାର୍ଗେଟ କରନ୍ତି, ପ୍ରଥମେ ସେମାନେ କୁହନ୍ତି ସେ ଗୁଣ୍ଡା, ତାଙ୍କ ଘର ଜେଲରେ । ହେଲେ ସେହି ନେତା ବିଜୁ ଜନତା ଦଳରୁ ବହିଷ୍କୃତ ହେଲା ପରେ ସେହି ନେତାଙ୍କୁ କଢେଇ ନିଏ ଭାରତୀୟ ଜନତା ପାର୍ଟି । ବିଜେପି ୱାସିଂ ମେସିନରେ ସଫା ହେଲାପରେ, ସେହି ଦାଗି ନେତାଙ୍କୁ ସେମାନେ କର୍ମଠ ଆଉ କର୍ମବୀର ବୋଲି କୁହନ୍ତି । ଆଉ ଦଳୀୟ ଟିକେଟ୍ ଦେଇ ପୋଷ୍ଟର ବୟ କରନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର ।

କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରି ସସ୍ମିତ ପାତ୍ର କହିଛନ୍ତି, ୨୦୨୦ ମସିହାରେ ତାଙ୍କ କମ୍ପାନୀ ଗରିବ ଲୋକଙ୍କ ପାଖରୁ ଚଞ୍ଚକତା କରି ଜମି ଜବରଦଖଲ କଲା, ହେଲେ ସେହି ନେତାଙ୍କୁ ୱାସିଂ ମେସିନରେ ପୁରେଇ ସଫା କରିଦେଲା ବିଜେପି । ଖାଲି ସେତିକି ନୁହେଁ, ଆଜି ସେ ବିଜୁଳି ବିଲ୍ କଥା ଚର୍ଚ୍ଚା କରୁଛନ୍ତି । କିନ୍ତୁ ତାଙ୍କରି କମ୍ପାନୀର ୪୮୦ କୋଟି ବିଜୁଳି ବିଲ୍ ବାକି ଥିଲା । ଆଉ ବିଲ୍ ମାଗିବାରୁ ସେ ସୁପ୍ରିମକୋର୍ଟ ଚାଲିଯାଇଥିଲେ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଦ୍ୱିତୀୟରେ ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନେବା ସହିତ ଏହି ଦୁଇ ନେତାଙ୍କୁ ମଧ୍ୟ ତୀର ମାରିଥିଲେ ସସ୍ମିତ । ଏହି ଦୁଇ ନେତା ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପି ତାଙ୍କୁ ଦଳରେ ସାମିଲ କରିବା ସହିତ ଟିକେଟ୍ ଦେଇଛି । ଏହି ଦୁଇ ନେତା ମଧ୍ୟ ବିଜେପିର ୱାସିଂ ମେସିନରେ ସଫା ହେଇଯାଇଛନ୍ତି ବୋଲି କହିବା ସହିତ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।