ଅତିରିକ୍ତ ୫କେଜି ଚାଉଳ କାଟକୁ ନେଇ ତାତିଲା ଦଳ : ରାଜଭବନ ଆଗରେ ବିଜେଡି ନେତାଙ୍କ ଧାରଣା

161

କନକ ବ୍ୟୁରୋ : କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି । ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓ ୧୬ ତାରିଖରେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି । ଦଳ କହିଛି ଯେ, କେନ୍ଦ୍ର ସରକାର ଏଥର ବଜେଟର କ୍ରୟ ପାଣ୍ଠିରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି ।

ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇ ଦେବା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ । ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିଲା । ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି । ଦଳ କହିଛି କେବଳ ବରଗଡ଼ ପରି ଗୋଟିଏ ଦିଲ୍ଲାରେ ୪ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧିନରେ ୫ କିଲୋ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋ ମାଗଣା ଚାଉଳ ମିଳୁଥିଲା । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ଯୋଗୁ ଗରିବ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ ବନ୍ଦ ହୋଇଗଲା । ଏଥିଯୋଗୁଁ ଧାନ କ୍ରୟ କ୍ଷତିଗ୍ରସ୍ତ ହେବ ଓ କୃଷକ ଏମଏସପିରୁ ବଞ୍ଚିତ ହେବେ ବୋଲି ଦଳ କହିଛି ।