ବିଜେଡି ବଦଳାଇଲା ରଣନୀତି । ସାମ୍ନାକୁ ଆସିଲେ ସିନିୟର, ବନ୍ଦ ହେବ କୋଟେରୀ ବ୍ୟବସ୍ଥା!

5,862

କନକ ବ୍ୟୁରୋ: ପରାଜୟର କାରଣ ଖୋଜା ଭିତରେ କିଛି ନୂଆ ରଣନୀତି ଆପଣାଇଛି ବିଜେଡି । ବିଗତ ଦିନରେ ଦଳ ମଧ୍ୟରେ ଜୁନିୟର ନେତାଙ୍କର କାଟତି ବଢ଼ିଥିଲା । ଅଭିଜ୍ଞତା ଓ ଗ୍ରହଣୀୟତା ନଥାଇ ଅନେକ ପ୍ରସଙ୍ଗରେ ସେମାନେ ମତ ରଖୁଥିଲେ । ନିର୍ବାଚନ ପ୍ରଚାର ବେଳେ ବିଜେପି କେନ୍ଦ୍ର ନେତୃତ୍ୱଙ୍କୁ କାଉଣ୍ଟର କରିବା ହେଉ କିମ୍ବା ବଡ ବଡ ପ୍ରସଙ୍ଗରେ ସେମାନେ ସାଜିଥିଲେ ଦଳର ତୁଣ୍ଡ । ହେଲେ ବିଜେଡି ଜୁନିୟର ନେତାଙ୍କ ପ୍ରଦର୍ଶନ ପ୍ରଭାବୀ ହେଉନଥିଲା । ନିର୍ବାଚନ ଫଳାଫଳ ପରେ ଏହା ସ୍ପଷ୍ଟ ହୋଇଥିଲା । ନିର୍ବାଚନ ସମୟରେ ଦଳରେ ଅନେକ ହେଭିୱେଟ ନେତା ଉଭାନ ହୋଇଯାଇଥିଲେ । ପ୍ରଚାର କଥା କୁହନ୍ତୁ କି ନିର୍ବାଚନ ରଣନୀତି କେଉଁଠି ଦେଖିବାକୁ ମିଳୁନଥିଲା ସିନିୟର ନେତାଙ୍କ ଭାଗିଦାରୀ ।

  • ବିଜେଡି ବଦଳାଇଲା ରଣନୀତି
  • ସାମ୍ନାକୁ ଆସିଲେ ସିନିୟର
  • ବନ୍ଦ ହେବ କୋଟେରୀ ବ୍ୟବସ୍ଥା!

୨୦୨୪ ନିର୍ବାଚନରେ ଦଳର କିଛି ହାତଗଣତି ନେତା ବିଜେଡି ରଣନୀତିର ମୁଖ୍ୟ କାର୍ପଟଦାର ସାଜିଥିଲେ । ଯେଉଁମାନେ ଟିକେଟ ବଣ୍ଟନଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ସଂପର୍କରେ ନିଷ୍ପତି ନେଉଥିଲେ । ସିନିୟରଙ୍କ ବଦଳରେ ଜୁନିୟରଙ୍କ ଉପରେ ଅଧିକ ଭରସା କରିଥିଲେ ବିଜେଡି ସୁପ୍ରିମୋ । ହେଲେ ପରାଜୟ ପରେ ଏବେ ବିଜେଡି ରଣନୀତିରେ ବଡ ପରିବର୍ତ୍ତନ ଆସିଛି । ରାଜନୀତିରେ ବର୍ଷ ବର୍ଷର ଅଭିଜ୍ଞତା ଥିବା ନେତାଙ୍କୁ ଗଣମାଧ୍ୟମର ସାମ୍ନାକୁ ଆଣି ଶାସକ ଦଳକୁ କାଉଣ୍ଟର କରିବାକୁ ଉଦ୍ୟମ କରୁଛି ବିଜେଡି । ଗତକାଲି ମହାନଦୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେଡିର ଉପସଭାପତି ଦେବୀପ୍ରସାଦ ମିଶ୍ର, ବରିଷ୍ଠ ନେତା ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଦେବ ପ୍ରେସମିଟ କରିଥିଲେ । କୁହାଯାଉଛି, ବିଜେଡିର ଏହା ହେଉଛି ନୂଆ ଷ୍ଟ୍ରାଟେଜି । ପୂର୍ବରୁ ମୁଖପାତ୍ରଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ମୁହଁ ନ ଖୋଲିବାକୁ ଆଘୋଷିତ ନିର୍ଦ୍ଦେଶ ରହିଥିଲା ।

ଖାଲି ଏତିକି ନୁହେଁ, ଚର୍ଚ୍ଚା ହେଉଛି ଆଗକୁ ବିଜେଡିରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ସାଙ୍ଗଠନିକ ସ୍ତରରୁ ଆମୂଳଚୂଳ ପରବର୍ତ୍ତନ ମଧ୍ୟ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ପ୍ରତ୍ୟେକ ଦିନ ବିଜେଡି ସୁ୍ପ୍ରିମୋ ନବୀନ ପଟ୍ଟନାୟକ ଦଳର ସିନିୟର ଲିଡରଙ୍କ ସହ ଆଲୋଚନା ମଧ୍ୟ କରୁଛନ୍ତି । ଯେଉଁ କୋଟେରୀ ବା ଗୋଷ୍ଠୀ ଦ୍ୱାରା ଦଳ ପରିଚାଳିତ ହେଉଥିଲା, ସେମାନଙ୍କ ପ୍ରଭାବ ନିର୍ବାଚନ ପରେ କମିଥିବା ଜଣାପଡ଼ିଛି । ତେବେ ମୁଖ୍ୟ ବିରୋଧୀ ଦଳ ଭାବେ କେଉଁ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଇବ, ଏବଂ ଦଳ ପ୍ରତି ଲୋକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ନୂଆ କୌଶଳ ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ ।