ବିଜୁ ଏକ୍ସପ୍ରେସ୍ ୱେ କେବଳ ଏକ ରାସ୍ତା ନୁହେଁ, ଏ ହେଉଛି ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ କହିଲେ ନବୀନ ।

136

କନକ ବ୍ୟୁରୋ: ବରଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପଶ୍ଚିମ ଓଡିଶା ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ସେ ବହୁତ ଖୁସି । ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ । ଏ ହେଉଛି ସେହି ଅଞ୍ଚଳ ପାଇଁ ଜୀବନରେଖା । ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ । ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ । ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇବ । ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ ବୋଲି କହିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଆଜି ଆମ ସମସ୍ତଙ୍କର ପ୍ରିୟ ନେତା ବିଜୁ ବାବୁଙ୍କ ଜନ୍ମଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁ ବାବୁ ଥିଲେ ଓଡିଶାବାସୀଙ୍କ ସବୁଠାରୁ ବଡ ଭରସା । ଏ ମାଟି, ଏ ମାଟିର ମଣିଷର ସ୍ୱପ୍ନ ସହ ସେ ସବୁବେଳେ ଯୋଡି ହେଇ ରହିଥିଲେ । ଜଣେ ଓଡିଆ ଭାବରେ ସେ ଗର୍ବ କରୁଥିଲେ । ସେହି ମହାନାୟକଙ୍କ ଜନ୍ମଦିନରେ ଆଜି ଓଡିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଡେଡିକେଟ୍ କରି ମୁଁ ବହୁତ ଖୁସି । ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ ।”

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ବିଜୁ ବାବୁ ହିଁ ୧୯୯୩ ଆରମ୍ଭ ଏହି ରୋଡ୍ ଆରମ୍ଭ କରିଥିଲେ । ବିଜୁ ଏକ୍ସପ୍ରେସ ୱେ ହେବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସୁବିଧା ହେବ । ନୂଆନୂଆ ଶିଳ୍ପ ଗଢି ଉଠିବ । ଏକ୍ସପ୍ରେସ୍ ୱ୍ୱେର ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି । ଏହାଦ୍ୱାର ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ । ଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେଟିଭ୍ ମଧ୍ୟ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ସୁସ୍ଥ ଓଡିଶା । ସେଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ । ବରଗଡ ଜିଲ୍ଲାର ବିକାଶ ଆହୁରି ଆଗେଇ ନେବାକୁ ଆଜି ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରୋଜେକ୍ଟ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ବହୁତ ଖୁସିଥିବା କହିଛନ୍ତି । ଏଥିସହ ଏହାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି ।